ଆଜି ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ । ପ୍ରତିବର୍ଷ ଏପ୍ରିଲ ୧୪ ତାରିଖ ଅର୍ଥାତ ଆଜିର ଦିନକୁ ସମାନତା ଦିବସ ବା ଜ୍ଞାନ ଦିବସ ରୂପେ ପାଳନ କରାଯାଏ । ଭୀମରାଓ ଆମ୍ବେଦକରଙ୍କ ଜନ୍ମ ମଧ୍ୟପ୍ରଦେଶର ମହୁ ଅଂଚଳରେ ଏକ ମରାଠୀ ପରିବାରରେ ୧୮୮୯ ମସିହା ଆଜିର ଦିନରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ମାଲୋଜି ସକପାଳ ଓ ମା’ଙ୍କ ନାମ ଥିଲା ଭୀମାବାଇ । ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ନିଜ ପୁରା ଜୀବନ ସାମାଜିକ ଛୁଆଁଅଛୁଆଁ ଏବଂ ଜାତିବାଦ ବିପକ୍ଷରେ ସଂଘର୍ଷ କରିଥିଲେ । ଏହି ସମୟରେ ସେ ଗରିବ,ଦଳିତ ଏବଂ ଶୋଷିତ ଅଧିକାର ପାଇଁ ସଂଘର୍ଷ କରୁଥିଲେ । ବାବା ସାହେବ ଆମ୍ବେଦକରଙ୍କ ପରିବାର ମହାର ଜାତି (ଦଳିତ) ଥିଲା । ଯାହାଙ୍କୁ ସେହି ସମୟରେ ଅଛୁଆଁ ଜାତି ବୋଲି ମନାଯାଉଥିଲା । ତାଙ୍କ ପୂର୍ବପୁରୁଷ ଇଂରେଜ ସରକାରଙ୍କ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ସେନାରେ କାର୍ଯ୍ୟରତ ଥିଲେ । ତାଙ୍କ ପିତା ବ୍ରିଟିସ୍ ସେନାରେ ମହୁ ଛାୱନୀରେ ସୁବେଦାର ଥିଲେ । ପିଲାବେଳୁ ହିଁ ଆମ୍ବେଦକର ଅର୍ଥ ଏବଂ ସାମାଜିକ ଭେଦଭାବ ବହୁ କଠିନ ପରିସ୍ଥିତିର ସାମ୍ନା କରିଥିଲେ । ସ୍କୁଲରେ ମଧ୍ୟ ତାଙ୍କୁ ଅନେକ ଅସୁବିଧା ଦେଖିବାକୁ ପଡିଥିଲା । ଆମ୍ବେଦକରଙ୍କ ଅସଲ ନାମ ଅମ୍ବାବାଡେକର ଥିଲା । ତାଙ୍କ ପିତା ମଧ୍ୟ ଏହି ନାମରେ ନାଁ ଲେଖାଇଥିଲେ । କିନ୍ତୁ ଜଣେ ଶିକ୍ଷକ ତାଙ୍କ ସାଜ୍ଞାକୁ ବଦଳାଇ ନିଜ ସାଜ୍ଞା ଲଗାଇଦେଇଥିଲେ ।ସେହି ସମୟରେ ବାଲ୍ୟବିବାହ ପ୍ରଚଳନ ଥିବାରୁ ୧୯୦୬ ରେ ୧୫ ବର୍ଷ ବୟସରେ ତାଙ୍କ ବିବାହ ୯ ବର୍ଷର ରମାବାଇଙ୍କ ସହ ହୋଇଥିଲା ।୧୯୦୭ ରେ ସେ ଦଶମ ପାସ୍ ଏବଂ ୧୯୦୮ ରେ ସେ ଏଲଫିଷ୍ଟନ୍ କଲେଜରେ ପ୍ରବେଶ କରିଥିଲେ । ଏହି କଲେଜରେ ପ୍ରବେଶ କରିଥିବା ସେ ପ୍ରଥମ ଦଳିତ ଛାତ୍ର ଥିଲେ । ୧୯୧୨ ରେ ସେ ବମ୍ବେ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରୀ ପ୍ରାପ୍ତ କରିଥିଲେ ।ଜଣେ ମେଧାବୀ ଛାତ୍ର ଭାବେ ସେ ଦେଶ ,ବିଦେଶର ଅନେକ ବିଶ୍ଵବିଦ୍ୟାଳୟରୁ ପାଖାପାଖି ୩୨ ଟି ଡିଗ୍ରୀ ହାସଲ କରିଥିଲେ। ଦେଶ ସ୍ବାଧୀନ ହେବାପରେ ୨୯ ଅଗଷ୍ଟ ୧୯୪୭ରେ ସମ୍ବିଧାନ କାର୍ଯ୍ୟକାରୀ ସମିତର ଅଧ୍ୟକ୍ଷ ହୋଇଥିଲେ । ୨ ବର୍ଷ ୧୧ମାସ, ୧୮ ଦିନର ବ୍ୟବଧାନ ପରେ ୨୬ ଜାନୁଆରୀ ୧୯୫୦ରେ ସମ୍ବିଧାନ ଲାଗୁ କରିଥିଲେ। ସ୍ବାଧୀନ ଭାରତର ସେ ଥିଲେ ପ୍ରଥମ ଆଇନ ମନ୍ତ୍ରୀ ।
