ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା କରିବେ ନଗର ପରିକ୍ରମା

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ । ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ଭାବେ ପାଳନ କରାଯାଏ । ଏହି ତିଥି ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବେ ପାଳନ କରାଯାଇଥାଏ, ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ” ଭାବରେ ପାଳନ କରାଯାଏ । ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନ ଦେବଙ୍କୁ ପ୍ରଦାନ କରିବାପରେ ଦଇତାପତି ସେବକମାନେ ହସ୍ତରେ ବିଜେ କରାଇ ଆଣି ଜଗମୋହନରେ ଥିବା ଚଉଦୋଳରେ ଅଧିଷ୍ଠିତ କରାଇବେ । ଏହାପରେ ବିମାନ ବଡୁମାନେ ଶ୍ରୀସୁଦର୍ଶନ ଦେବଙ୍କୁ ବିଜେ କରାଇ ଝୁଲଣ ମଣ୍ଡପ ତଳେ ରଖାଯିବ ।

ସେହିପରି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ । ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା କରାଯିବ । ଏହାପରେ ପନ୍ତି ଭୋଗ ଖାଇ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ବର ମହାଦେବ ମନ୍ଦିରକୁ ବିଜେ କରିବେ ପ୍ରଭୁ ସୁଦର୍ଶନ । ଜମ୍ବେଶ୍ୱର ମନ୍ଦିରରେ ନିଆରା ପୂଜା ସହ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ବରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନିତି ସମ୍ପୂର୍ଣ୍ଣ କରିବେ ।ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିବେ ।

ଅଧିକ ପଢନ୍ତୁ