ଆନ୍ତଃରାଜ୍ୟ ଲୁହାପଥର ତସ୍କରଙ୍କୁ ମାଡ଼ି ବସିଲା ବନ ବିଭାଗଗୋଟିଏ ଟିପର, ଗୋଟିଏ ଜେସିବି ସହ ଏକ ମୋଟର ସାଇକେଲ ସହ ୪ ଅଟକ

ରାୟଗଡା ୧୬/୦୭ (ନିପ୍ର) ରାୟଗଡା ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଆନ୍ତଃରାଜ୍ୟ ଚୋରା ଲୁହାପଥର କାରବାର। ଶିରିପାଇ ପଞ୍ଚାୟତର ଭାଲୁମସ୍କା ଅଞ୍ଚଳରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଚୋରା ଲୁହାପଥର ସହ ଏକ ଟିପର ନଂ ଓଡ଼ି ୧୮ସି ୮୨୭୮ ଏକ ଜେସିବି ନଂ ଓଡ଼ି ୧୮ କେ ୫୭୩୯ ଓ ଏକ ମୋଟର ସାଇକେଲ ନଂ ଓଡ଼ି ୧୮ ପି ୭୨୨୩ ଜବତ କରିଛି ଟିକିରି ବନ ବିଭାଗ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଗତକାଲି ରାତି ରେ ଖବର ପାଇ ଆଜି ପାହାନ୍ତିଆ ସମୟରେ ଟିକିରି ରେଞ୍ଜ ଅଧୀନ ଶିରିପାଇ ପଞ୍ଚାୟତର ଭାଲୁମସ୍କା ଅଞ୍ଚଳରେ ବନ ବିଭାଗ ଚଢ଼ାଉ କରି ଚୋରା ଭାବେ ଉତ୍ତୋଳନ ହୋଇଥିବା ପ୍ରାୟ ୪ରୁ ୫ ଟନ ଲୁହାପଥର ଜବତ କରିଛି। ଏହା ସହ ଘଟଣାସ୍ଥଳରୁ ଗୋଟିଏ ଟିପର, ଗୋଟିଏ ଜେସିବି ଓ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଚୋରା ଲୁହାପଥର କାରବାର ଚାଲିଆସୁଥିଲା। ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କିଛି ଲୁହାପଥର ମାଫିଆ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ଟିପର ମାଲିକ ଦେବଦତ୍ତ ମିଶ୍ରଙ୍କ ସମେତ ଜେସିବି ଓ ଟିପର ଚାଳକଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ବ୍ୟକ୍ତିମାନଙ୍କ ମଧ୍ୟରେ କଲ୍ୟାଣସିଂହପୁରର ବିଦୁର ବାଗ, ରାୟଗଡା ରାଣୀଗୁଡା ଫାର୍ମର ଦେବଦତ୍ତ ମିଶ୍ର, ଜଗଦୀଶ ନିଆଲିବଂଶ ଏବଂ ପ୍ରଶାନ୍ତ ନାଏକ ରହିଛନ୍ତି। ତେବେ ଏହି ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ରାୟଗଡା ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା ଚୋରା ଖଣିଜ କାରବାରକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ, ଟିକିରି ବନ ବିଭାଗର ଏହି ଚଢ଼ାଉ ଆନ୍ତଃରାଜ୍ୟ ଲୁହାପଥର ମାଫିଆଙ୍କ ବିରୋଧରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ଅଧିକ ପଢନ୍ତୁ