ରାଜ୍ୟର ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ | ଆସନ୍ତାକାଲି ଜୁଲାଇ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ଟି ଆଧୁନିକୀକରଣ କରାଯାଇଥିବା ରେଳ ଷ୍ଟେସନକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିବେ। ଏଥିମଧ୍ୟରେ ଓଡ଼ିଶାର ୭ଟି ପ୍ରମୁଖ ରେଳ ଷ୍ଟେସନ, ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଓ ବିମଳଗଡ଼ ସାମିଲ ରହିଛି। ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଏହି ଷ୍ଟେସନଗୁଡ଼ିକର ଆଧୁନିକୀକରଣ କରାଯାଇଛି।କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗଶିପ୍ ଯୋଜନାରେ ଓଡ଼ିଶାର ଏହି ୭ଟି ଷ୍ଟେସନର ପୁନଃବିକାଶ ପାଇଁ ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇଛି। ସ୍ଥାନୀୟ ଐତିହ୍ୟ ଓ ସାଂସ୍କୃତିକ ପରିଚୟକୁ ଅକ୍ଷୁଣ୍ଣ ରଖି ଯାତ୍ରୀମାନଙ୍କୁ ଆଧୁନିକ ଓ ଉନ୍ନତମାନର ସେବା ଯୋଗାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ।ପୁନଃବିକଶିତ ଷ୍ଟେସନଗୁଡ଼ିକରେ ଆକର୍ଷଣୀୟ ନୂତନ ଷ୍ଟେସନ ଭବନ ନିର୍ମାଣ ସହ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଲିଫ୍ଟ ସୁବିଧା ସହ ୧୨ ମିଟର ଚଉଡ଼ାର ପାଦଚଲା ପୋଲ ନିର୍ମାଣ ହୋଇଛି। ଏହା ଦ୍ୱାରା ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଅନ୍ୟ ଯାତ୍ରୀମାନେ ସହଜରେ ଷ୍ଟେସନର ବିଭିନ୍ନ ପ୍ଲାଟଫର୍ମକୁ ଯାତାୟାତ କରିପାରିବେ।
ଏହାଛଡ଼ା ପ୍ଲାଟଫର୍ମରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ, ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ, ଉନ୍ନତ ଆଲୋକ ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ବସିବା ବ୍ୟବସ୍ଥା କରାଯାଇଛି। ଷ୍ଟେସନ ବାହାରେ ପାର୍କିଂ ସ୍ଥାନକୁ ମଧ୍ୟ ଅଧିକ ପ୍ରଶସ୍ତ ଓ ସୁବ୍ୟବସ୍ଥିତ କରାଯାଇଛି, ଯାହା ଦ୍ୱାରା ଯାତ୍ରୀଙ୍କ ଯାତାୟାତ ଅଧିକ ସୁଗମ ହେବ।
