ଆସନ୍ତାକାଲି କୋଟିଆ ସୀମା ବିବାଦକୁ ନେଇ ବସିବ ସର୍ବଦଳୀୟ ବୈଠକ। କୋଟିଆ ବିବାଦ ପ୍ରସଙ୍ଗରେ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।କାହା ଅଧ୍ୟକ୍ଷତାରେ ବସିବ ବୈଠକ ସେ ନେଇ ଆଜି ସୁଦ୍ଧା ଚୂଡ଼ାନ୍ତ ହେବ। ଆନ୍ଧ୍ରର ବେଆଇନ କାର୍ଯ୍ୟକଳାପ ବିରୋଧରେ ପୁଣି ସୁପ୍ରିମକୋର୍ଟରେ ଫେରାଦ ହେବେ ଓଡ଼ିଶା ସରକାର। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଏବଂ କୋର୍ଟ ଅବମାନନା କରି ଆନ୍ଧ୍ର ସରକାର ଏଭଳି ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି। ପୁରୁଣା ମାମଲା ପୁଣି ଖୋଲାଯିବ କିମ୍ବା ନୂଆ ମାମଲା ହେବ, ସେ ନେଇ ଆଡଭୋକେଟ ଜେନେରାଲ ନିଷ୍ପତ୍ତି ନେବେ। ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ୧୬ ଜଣିଆ ଟିମ କୋଟିଆରେ ପହଁଚି ଏହି ନିର୍ବାଚନ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛନ୍ତି।
