ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତ ଗିରଫ ।ରବିବାର ଅପରାହ୍ଣରେ ଲିଫ୍ଟ ଦେବା ଆଳରେ ଜଣେ ଯୁବତୀଙ୍କୁ ଅପହରଣ କରି ନେଇ ଏକ କାଜୁ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ ହୋଇଛି । ତେବେ କୌଶଳ କରି ସାହସର ସହ ପୀଡ଼ିତା ଯୌନ ପିପାସୁ କବଳରୁ ଖସିଆସି ପୁଲିସ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରିଛନ୍ତି । ଇନ୍ଫୋଭ୍ୟାଲି ଥାନା ପୁଲିସ ସହ ଜଟଣୀ, ତମାଣ୍ଡୋ, ଖଣ୍ଡଗିରି ଏବଂ ଚନ୍ଦକା ଥାନା ଏପରି ୫୦ ପୁଲିସ ଗଙ୍ଗପଡ଼ା ରତନପୁର କାଜୁ ଜଙ୍ଗଲରେ ୫ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ପୀଡ଼ିତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ପରେ ତାଙ୍କ ଅଭିଯୋଗ ଆଧାରରେ ଇନଫୋଭ୍ୟାଲି ଥାନାରେ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ବାଇକ୍ ଜବତ କରିଛି ପୋଲିସ ।ଅଭିଯୋଗ ମୁତାବକ, ଖେ।।ର୍ଦ୍ଧା ବାଘମାରୀ ଥାନା ଅଞ୍ଚଳର ଯୁବତୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ରବିବାର ସେ କାମରେ ଯୋଗ ଦେବା ପାଇଁ ଆସି ଖୋର୍ଦ୍ଧା କଲେକ୍ଟର ଅଫିସ ନିକଟରେ ଛିଡ଼ା ହୋଇ ଲିଫ୍ଟ ମାଗୁଥିଲେ । ଦିନ ସାଢ଼େ ଗୋଟାଏରେ ଏକ ବାଇକ୍ରେ ଜଣେ ଚିହ୍ନା ପରିଚୟ ଯୁବକ ଆସି ଯୁବତୀଙ୍କ ପାଖରେ ଅଟକିଥିଲା । ତାଙ୍କୁ ଭୁବନେଶ୍ୱରରେ ଛାଡ଼ିଦେବେ ବୋଲି କହିଥିଲା । ଯୁବତୀ ବାଇକ୍ ପଛରେ ବସିବା ପରେ ଯୁବକ ଜଣଙ୍କ ତାଙ୍କୁ ରତନପୁର କାଜୁ ଜଙ୍ଗଲକୁ ନେଇ ଆସିଥିଲା ।ସେଠାରେ ସେ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ କୌଶଳ କରି ଯୁବତୀ ଜଣକ ଯୁବକ କବଳରୁ ଖସି ଆସିଥିଲେ । ଅପହର୍ତ୍ତା ଯୁବତୀ ଙ୍କୁ ଧରିବାକୁ ଜଙ୍ଗଲ ଭିତରେ ଗୋଡ଼ାଇଥିଲେ । ତେବେ ଯୁବତୀ ଜଣଙ୍କ ସାହାସର ସହ ୧୧୨କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇବାରେ ସଫଳ ହୋଇଥିଲେ ।ଯୁବତୀ ଙ୍କୁ ପୁଲିସ କ୍ୟାପିଟାଲ ହସ୍ପିଟାଲ ନେଇ ଡାକ୍ତରୀ ପରୀକ୍ଷା କରାଇଥିଲା । ପ୍ରଥମେ ଯୁବତୀ ଏତଲା ଦେବାକୁ ଅନିଛୁକ ଥିଲେ । କିନ୍ତୁ ତାଙ୍କୁ ଉପଯୁକ୍ତ କାଉନ୍ସେଲିଂ କରି ବୁଝାଇବା ପରେ ସେ ଏଫ୍ଆଇଆର ଦେଇଥିଲେ । ପୁଲିସ ଯୁବତୀ ଙ୍କ ପରିବାର ଲୋକଙ୍କୁ ଡକାଇ ସେମାନଙ୍କ ଜିମା ଦେଇଛି । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଟକ ରଖିଥିବା ଅପହରଣକାରୀକୁ ପଚରାଉଚରା ଚଳାଇଛି ।
