ଆସୋସିଏଶନ୍ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର)ର ଏକ ରିପୋର୍ଟ ଅନୁଯାୟୀ, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ରେ ୩୬ଟି ଆଞ୍ଚଳିକ ରାଜନୈତିକ ଦଳର ମିଳିତ ଆୟ ୫୧%ରୁ ଅଧିକ ହ୍ରାସ ପାଇଛି । ଏଥିସହିତ ୨୧ଟି ଦଳ ସେମାନଙ୍କ ଘୋଷିତ ଆୟଠାରୁ ଅଧିକ ଖର୍ଚ୍ଚ କରିଛନ୍ତି। ଦେଶର ୬୭ ପଞ୍ଜିକୃତ ରାଜନୈତିକ ଦଳଗୁଡିକ ମଧ୍ୟରୁ ୩୬ଟି ଦଳର ବାର୍ଷିକ ଅଡିଟ୍ ରିପୋର୍ଟକୁ ଆଧାର କରି ଏଡିଆର ଏହି ତଥ୍ୟ ପ୍ରକାଶ କରିଛି। ଉକ୍ତ ଆଞ୍ଚଳିକ ଦଳଗୁଡିକ ସେମାନଙ୍କ ବାର୍ଷିକ ଅଡିଟ୍ ରିପୋର୍ଟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଛନ୍ତି। ତେବେ ୩୧ଟି ଆଞ୍ଚଳିକ ଦଳ ସେମାନଙ୍କର ଅଡିଟ୍ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରି ନାହାନ୍ତି।ଏଡିଆରର ବିଶ୍ଳେଷଣ ଅନୁଯାୟୀ, ୩୬ଟି ଆଞ୍ଚଳିକ ଦଳର ମୋଟ ଆୟ ୨୦୨୪-୨୫ ଆର୍ଥିକ ବର୍ଷରେ ୧,୧୯୨.୯୪ କୋଟି ଟଙ୍କା ରହିଥିଲା, ଯାହା ୨୦୨୩-୨୪ ଆର୍ଥିକ ବର୍ଷର ୪୬୩.୧୭ କୋଟି ଟଙ୍କା ବ୍ୟୟ ତୁଳନାରେ କମ୍। ତେବେ ଏହି ଦଳଗୁଡ଼ିକ ଦ୍ୱାରା ଘୋଷିତ ମୋଟ ବ୍ୟୟ ୧,୪୩୩.୦୭ କୋଟି ଟଙ୍କାରେ ପହଞ୍ଚିଛି, ଯାହା ସେମାନଙ୍କର ମିଳିତ ଆୟଠାରୁ ୨୪୦.୧୨ କୋଟି ଟଙ୍କା ବା ପ୍ରାୟ ୨୦ % ଅଧିକ। ରିପୋର୍ଟରେ କୁହାଯାଇଛି, ବିଶ୍ଳେଷଣ କରାଯାଇଥିବା ଦଳଗୁଡ଼ିକ ମଧ୍ୟରେ ଶୀର୍ଷ ୫ଟି ଦଳ ମୋଟ ଆୟର ପ୍ରାୟ ୬୯ ପ୍ରତିଶତ ଏବଂ ମୋଟ ଖର୍ଚ୍ଚର ୭୭ ପ୍ରତିଶତରୁ ଅଧିକ ବ୍ୟୟ ଥିଲା। ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସର୍ବାଧିକ ୨୨୮.୩୧ କୋଟି ଟଙ୍କାର ଆୟ ଘୋଷଣା କରିଛି, ଯାହା ମୋଟ ଆୟର ୧୯.୧୪ ପ୍ରତିଶତ।ଏହା ପଛକୁ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି) ୨୧୯.୩୫ କୋଟି ଟଙ୍କା ଏବଂ ଓ୍ବାଇଏସ୍ଆର କଂଗ୍ରେସ ୧୪୦.୩୯ କୋଟି ଟଙ୍କା ଆୟ କରିଛନ୍ତି। ଖର୍ଚ୍ଚ କ୍ଷେତ୍ରରେ ୱାଇଏସ୍ଆର କଂଗ୍ରେସ ସର୍ବାଧିକ ୩୪୦.୨୦ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ବିଜୁ ଜନତା ଦଳ (ବିଜେଡି) ୨୮୮.୪୪ କୋଟି ଟଙ୍କା ଏବଂ ଏଆଇଟିସି ୨୨୭.୫୯ କୋଟି ଟଙ୍କା ବ୍ୟୟ କରିଛି।
