ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ‘ଓଡ଼ିଶା ବୃତ୍ତି, ବ୍ୟାପାର, ଜୀବିକା ଓ ନିଯୁକ୍ତି ଉପରେ ଟିକସ’ ବା ପ୍ରଫେସନାଲ ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦେଇଛନ୍ତି । ତେବେ ଚଳିତ ବାର୍ଷିକ ବଜେଟରେ ଏପ୍ରିଲ ପହିଲାରୁ ପିଛିଲା ଭାବେ ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ନେଇ ସରକାର ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଉଚ୍ଛେଦ ସଂକ୍ରାନ୍ତ ଆଇନକୁ ଅଧ୍ୟାଦେଶ ଆକାରରେ ଲାଗୁ କରାଯାଇଛି । ଏହି ପ୍ରଫେସନାଲ ଟ୍ୟାକ୍ସ ସଂଗ୍ରହ ନକରିବାକୁ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଓଡ଼ିଶା ବିଧାନସଭାର ଅଧିବେଶନ ଏବେ ଚାଲୁ ନଥିବାରୁ, ଭାରତୀୟ ସମ୍ବିଧାନର ଧାରା 213 (1) ଅନୁଯାୟୀ ମିଳିଥିବା କ୍ଷମତା ପ୍ରୟୋଗ କରି ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ନୂଆ ନିୟମ 2026 ଏପ୍ରିଲ 1 ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ ।
