ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲା: ରିମାଣ୍ଡ ଆବେଦନ କଲା କ୍ରାଇମ୍‌ବାଞ୍ଚ

ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ରବିବାର ବିଳମ୍ବିତ ରାତିରେ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ ଓ ଅଣଛାତ୍ର ଶୁଭ୍ରସମ୍ବିତ ନାୟକ୍ରଙ୍କୁ ଗିରଫ କରିଛି । ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ୨ଜଣଙ୍କ ଗିରଫ ପରେ ଟିମ୍‌ ହାତରେ ଆହୁରି ଲମ୍ବା ତାଲିକା ଥିବା ଶୁଣିବାକୁ ମିଳୁଛି । ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା ଏକ ସାଇକେଲରେ ଯାଉଥିବା ସିସିଟିଭିରେ କଏଦ ହୋଇଛି।

ପୀଡ଼ିତା ସାଇକେଲେରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି। ଜୁଲାଇ ୧୨ ତାରିଖର ପୂର୍ବାହ୍ନ ୧୦ଟା ୪୪ ମିନିଟରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ପ୍ରମାଣ ମିଳିଛି। ଏହି ଫୁଟେଜ FM କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ବୋଲି ଜଣାପଡିଛି।କୁହାଯାଉଛି, ପୀଡ଼ିତା ଛାତ୍ରୀ ସାଇକଲେରେ ପେଟ୍ରୋଲ ପମ୍ପ ଯାଇ, ସେଠାରୁ ବୋତଲରେ ପେଟ୍ରୋଲ ନେଇ କଲେଜ ଯାଇଛନ୍ତି । ତେବେ ଏହି ଭିଡିଓ ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ । ତେବେ ଗିରଫ ଦୁଇ ଜଣଙ୍କୁ କ୍ରାଇମବ୍ରାଞ୍ଚ ସୋମବାର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ । ସେମାନଙ୍କଠାରୁ ଜବତ କିଛି ନୂଆ ପ୍ରମାଣପତ୍ର, ଦସ୍ତାବିଜ୍‌କୁ କୋର୍ଟରେ ଦାଖଲ କରାଯାଇଛି । ଏହିସବୁ ପ୍ରମାଣପତ୍ର ଓ ଦସ୍ତାବିଜ୍‌ ଫରେନ୍‌ସିକ ଲ୍ୟାବ୍‌କୁ ପଠାଇବା ପାଇଁ କୋର୍ଟର ଅନୁମତି ମାଗିଥିଲେ । ଅଦାଲତ ପକ୍ଷରୁ ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି କି ନାହିଁ ତାହା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିନି । ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ପୂର୍ବରୁ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ, ଏଚ୍‌ଓଡି ସମୀର କୁମାର ସାହୁଙ୍କୁ ଗିରଫ କରିଥିଲା ।

ଅଧିକ ପଢନ୍ତୁ