ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଗ୍ରାମାଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ପୁନଃ ବୁକିଂ ପାଇଁ ଆଉ ୪୫ ଦିନ ଦୀର୍ଘ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏବେ ଗ୍ରାହକମାନେ ମାତ୍ର ୨୫ ଦିନ ମଧ୍ୟରେ ଦ୍ୱିତୀୟ ସିଲିଣ୍ଡର ବୁକ୍ କରିପାରିବେ । କେନ୍ଦ୍ର ସରକାର ଏହି ପୁରୁଣା କଟକଣାକୁ କୋହଳ କରି ନୂଆ ନିୟମ ଲାଗୁ କରିଛନ୍ତି ।କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏଣିକି ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗ୍ୟାସ ସିଲିଣ୍ଡର ରିଫିଲର ପରବର୍ତ୍ତୀ ବୁକିଂ ୨୫ ଦିନ ମଧ୍ୟରେ କରାଯାଇପାରିବ।
ଏହି ନୂଆ ବ୍ୟବସ୍ଥା ସୋମବାର, ସେପ୍ଟେମ୍ବର ୭ ତାରିଖରୁ ଲାଗୁ ହୋଇଛି। ଏବେ ଗ୍ରାହକଙ୍କୁ ପୁଣିଥରେ ଗ୍ୟାସ ସିଲିଣ୍ଡର ବୁକ୍ କରିବା ପାଇଁ ୪୫ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ।କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ପର୍ଯ୍ୟଟନ ପ୍ରତିମନ୍ତ୍ରୀ ସୁରେଶ ଗୋପୀ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସମସ୍ତ ତୈଳ ବିପଣନ କମ୍ପାନୀ (OMCs) ଗୁଡ଼ିକୁ ଏହି ନୂଆ ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଧ୍ୟପ୍ରାଚ୍ୟରେ ଉପୁଜିଥିବା ସଙ୍କଟ ଏବଂ ହର୍ମୁଜ ଷ୍ଟ୍ରେଟ୍ ବାଧାପ୍ରାପ୍ତ ହେବା ଯୋଗୁଁ ଗ୍ୟାସ୍ ଯୋଗାଣରେ କିଛି ସମସ୍ୟା ଦେଖାଦେଇଥିଲା । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ କମାଇବା ପାଇଁ ପୂର୍ବରୁ ଗ୍ରାମାଞ୍ଚଳରେ ୪୫ ଦିନ ଓ ସହରାଞ୍ଚଳରେ ୨୫ ଦିନର ବୁକିଂ ବ୍ୟବଧାନ ରଖାଯାଇଥିଲା ।
