ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ହେବେ ପରବର୍ତ୍ତୀ ବାୟୁସେନା ମୁଖ୍ୟ । ୨୯ତମ ବାୟୁସେନା ମୁଖ୍ୟ ଭାବେ ଅକ୍ଟୋବର ୩୧ ତାରିଖରେ ସେ ଦାୟିତ୍ବ ନେବେ। ତାଙ୍କ କାର୍ଯ୍ୟକାଳ ୩୧ ଡିସେମ୍ବର ୨୦୨୮ ଯାଏ ରହିବ। ଆଶୁତୋଷ ଦୀକ୍ଷିତ ବର୍ତ୍ତମାନ ଭାରତୀୟ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ୍ ସିଂହଙ୍କ ଅବସର ପରେ ଦାୟିତ୍ବ ନେବେ ଆଶୁତୋଷ ଦୀକ୍ଷିତ।୧୯୬୬ ମସିହା ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିବା ଆଶୁତୋଷ ଦୀକ୍ଷିତ, ୧୯୮୬ ମସିହା ଡିସେମ୍ବର ୬ ତାରିଖରେ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମ୍ରେ ଯୋଗ ଦେଇଥିଲେ। ଜଣେ ପରୀକ୍ଷାମୂଳକ ଟେଷ୍ଟ ପାଇଲଟ୍ ଏବଂ ଯୋଗ୍ୟତାସମ୍ପନ୍ନ ଫ୍ଲାଇଂ ଇନ୍ଷ୍ଟ୍ରକ୍ଟର ଭାବରେ ତାଙ୍କର ୩,୫୦୦ ରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ସେ ମିରାଜ-୨୦୦୦, ମିଗ୍ର ବିଭିନ୍ନ ସଂସ୍କରଣ, କିରଣ, ଜାଗୁଆର, ଆଇଏଲ୍-୭୮, ହକ୍ ଏବଂ ତେଜସ୍ ଭଳି ଅତ୍ୟାଧୁନିକ ବିମାନ ଉଡ଼ାଇଛନ୍ତି।
