ଓଡ଼ଗାଁ, ୨୪|୦୧ (ନି. ପ୍ର):ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସାମ୍ପ୍ରତିକ ସମାଜରେ ଓଡ଼ିଆ ଭାଷାର ଉପଯୋଗିତାକୁ ନେଇ ଏକ ସାହିତ୍ୟ ଆଲୋଚନା ଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିରୂପେ କୈଳାସ ଗାଣ୍ଡ ଓ ମୁଖ୍ୟବକ୍ତାରୂପେ ଗୋଦାବରୀଶ ମିଶ୍ର ଯୋଗ ଦେଇ ଆଧୁନିକ ସମାଜରେ ଓଡ଼ିଆ ଭାଷାର ଉପଯୋଗିତା,କାର୍ଯ୍ୟକାରିତା ଓ ବାସ୍ତବତା ସମ୍ପର୍କରେ ଆଲୋକପାତ କରିଥିଲେ।ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା କରିବା ସହ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ।
ଅଧ୍ୟକ୍ଷ ସାହୁ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଓଡ଼ିଶାର ଜନଜୀବନକୁ କେମିତି ପ୍ରଭାବିତ କରି ସମାଜରେ ସଂସ୍କାର ଆଣି ପାରିଛି ଏବଂ ନାରୀଶିକ୍ଷାର ବିକାଶରେ କିପରି ସହାୟକ ହୋଇ ପାରିଛି ସେ ସମ୍ପର୍କରେ ସମ୍ୟକ ବାର୍ତ୍ତା ରଖିଥିଲେ।ଅଧ୍ୟାପକ ଚିତ୍ତରଞ୍ଜନ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଅରୁପାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପିକା ଡ଼ ସଂଯୁକ୍ତା ଦାସ,ରୋଜାଲିନ ରଥ,ଡ଼ ରାଜଶ୍ରୀ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ବ୍ରଜେଶ କୁମାର ବଡ଼ଜେନା,ମନୋଜ କୁମାର ସାହୁ,ସରୋଜ ରାଉତ ଓ ଜିତେନ୍ଦ୍ର କୁମାର ସାହୁ ସହଯୋଗ କରିଥିଲେ।