ଓଡ଼ିଶାରେ ଦୁଃସାହସିକ ଜଳ କ୍ରୀଡ଼ା ପାଇଁ ଭିତ୍ତିଭୂମି ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ସୁରକ୍ଷିତ ଜଳଭିତ୍ତିକ ଦୁଃସାହସିକ କ୍ରୀଡ଼ା ଓ ଆମୋଦ-ପ୍ରମୋଦର ବିକାଶ ପାଇଁ ପଦକ୍ଷେପ ନେଇଛି। ବିଭିନ୍ନ ଜିଲ୍ଲାରେ ପ୍ରସ୍ତାବିତ ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ସୁରକ୍ଷା ଓ ଅନ୍ୟାନ୍ୟ ଦିଗକୁ ଯାଞ୍ଚ କରିବା ପାଇଁ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ନିର୍ଦ୍ଦେଶ ଜାରି କରିଛନ୍ତି।ପୁରୀ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳମାନେ ଯାଞ୍ଚ କରିବାକୁ ଯିବାକୁ ଥିବା ଦଳକୁ ସହଯୋଗ କରିବେ। ‘ଗୋ ଆଡଭେଞ୍ଚର ପୋର୍ଟାଲ’ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳଭିତ୍ତିକ ଦୁଃସାହସିକ କ୍ରୀଡ଼ା ପାଇଁ ନୂତନ ଆବେଦନ କରିଥିବା ପ୍ରକଳ୍ପଗୁଡ଼ିକର ଭିତ୍ତିଭୂମି ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଯାଞ୍ଚ କରାଯିବ।

‘ଓଡ଼ିଶା ଆଡଭେଞ୍ଚର ଟୁରିଜମ ଗାଇଡଲାଇନ୍ସ-୨୦୨୫’ ଅନୁଯାୟୀ ଏହି ଯାଞ୍ଚ ପ୍ରକ୍ରିୟା କରାଯିବ। ଯୁଗ୍ମ ଯାଞ୍ଚ ଦଳରେ ଗୋଆସ୍ଥିତ ଜାତୀୟ ଜଳକ୍ରୀଡ଼ା ସଂସ୍ଥାନ (NIWS)ର ଜଣେ ବିଶେଷଜ୍ଞ, ପର୍ଯ୍ୟଟନ ବିଭାଗର ଆଡଭେଞ୍ଚର ଟୁରିଜମ ଟେକ୍ନିକାଲ ସେଲ୍ (ATTC) ପ୍ରତିନିଧି ଏବଂ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ କମିଟି (DLC) ସଦସ୍ୟମାନେ ସାମିଲ ହେବେ।୪ ମଇରୁ ୨୦ ମଇ ପର୍ଯ୍ୟନ୍ତ ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ବେଳେ, ପ୍ରସ୍ତାବିତ ପ୍ରକଳ୍ପ ସ୍ଥଳଗୁଡ଼ିକରେ ସୁରକ୍ଷା, ପ୍ରାୟୋଗିକ ସୁବିଧା ଏବଂ ପରିବେଶ ଉପଯୋଗିତା ଯାଞ୍ଚ କରାଯିବ।

ଅଧିକ ପଢନ୍ତୁ