ଦକ୍ଷିଣ ଆଫ୍ରିକାରେ ଚମକିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ । ତ୍ରିଷ୍ଣା ରାୟ ହେଲେ ମିସ୍ ଟିନ୍ ୟୁନିଭର୍ସ ୨୦୨୪ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ମର୍ଯ୍ୟାଦାଜନକ ଇଭେଣ୍ଟରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗନେଇଥିବା ବେଳେ ତ୍ରିଷ୍ଣା ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ତ୍ରିଷ୍ଣା କିଟ୍ ସ୍କୁଲ୍ ଅଫ୍ ଫେସନ୍ ଟେକ୍ନୋଲୋଜିର ଛାତ୍ରୀ । ତ୍ରିଷ୍ଣା ହେଉଛନ୍ତି କର୍ଣ୍ଣେଲ୍ ଡି.କେ ରାୟ ଓ ରାଜଶ୍ରୀ ରାୟଙ୍କ ଝିଅ । ଝିଅର ସଫଳତାରେ ବେଶ୍ ଖୁସି ପ୍ରକାଶ କରିଛନ୍ତି କର୍ଣ୍ଣେଲ୍ ଡି.କେ ରାୟ ।ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ନଭେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। କର୍ଣ୍ଣେଲ୍ ଦିଲ୍ଲୀପ କୁମାର ରାୟ ଏବଂ ରାଜଶ୍ରୀଙ୍କ ଝିଅ ତ୍ରିଷ୍ଣା ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଦୀର୍ଘଦିନରୁ ପ୍ରୟାସ କରୁଥିଲେ। ତାଙ୍କର ଭିସା ସମସ୍ୟା ଯୋଗୁଁ ସେ ଗତବର୍ଷ କଲମ୍ବିଆ ଓ ଡ଼ୋମିନିକାନ୍ ରିପବ୍ଲିକରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନଥିଲେ।
ତେବେ ତାଙ୍କର କଠିନ ଅଧ୍ୟବସାୟ ଓ ନିଷ୍ଠା ପାଇଁ ସେ ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛନ୍ତି। ତ୍ରିଷ୍ଣାଙ୍କ ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।