କେଜିରୁ ପିଜି ମାଗଣା ଶିକ୍ଷା: ଖୁବଶୀଘ୍ର ଆସିବ ଏସଓପି

ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଖୁବ୍‌ଶୀଘ୍ର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।ନୂତନ ବ୍ୟବସ୍ଥା ଅନୁସାରେ ସରକାରୀ, ଅଣଅନୁଦାନପ୍ରାପ୍ତ, ବ୍ଲକ୍ ଗ୍ରାଣ୍ଟ କଲେଜ ଏବଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ଆଡମିଶନ୍ କିମ୍ବା ରି-ଆଡମିଶନ୍ ବାବଦରେ କୌଣସି ଅର୍ଥ ଆଦାୟ କରିପାରିବେ ନାହିଁ । ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଯେଉଁ ଛାତ୍ରଛାତ୍ରୀ ଏହି ଶିକ୍ଷାବର୍ଷରେ ପୂର୍ବରୁ ଆଡମିଶନ୍ ଫି ଦେଇସାରିଛନ୍ତି, ସେମାନଙ୍କ ଅର୍ଥ ଏକ ସ୍ୱତନ୍ତ୍ର ପୋର୍ଟାଲ ମାଧ୍ୟମରେ ଫେରସ୍ତ କରାଯିବ । ଏହା ସହିତ ୬୬୨ ଓ ୪୮୮ ବର୍ଗ କଲେଜଗୁଡ଼ିକୁ ବି ଅର୍ଥ ଦିଆଯିବା ସହ ଯେଉଁ ଅର୍ଥ ପିଲା ଦେଉଥିଲେ, ସେହି ଅର୍ଥ ସରକାର ଦେବେ ବୋଲି କହିଛନ୍ତି, ଉଚ୍ଚ ଶିକ୍ଷା ମନ୍ତ୍ରୀ ।ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାରଙ୍କ ଲକ୍ଷ୍ୟ ହେଉଛି ଆର୍ଥିକ ସମସ୍ୟା ଯୋଗୁଁ କୌଣସି ଛାତ୍ରୀଛାତ୍ର ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି। ତେଣୁ ନାମଲେଖା ଶୁଳ୍କ ବାବଦରେ ଯେଉଁ ଅର୍ଥ ଛାଡ଼ କରାଯାଇଛି, ତାହା ସରକାର ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରିବେ। ଏହାଦ୍ୱାରା ନାମଲେଖା ପ୍ରକ୍ରିୟା ସ୍ୱଚ୍ଛ ଓ ନିରବିଘ୍ନ ଭାବେ ସମ୍ପନ୍ନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ