କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇଛି। ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ଘୋଷଣା କରାଯିବା ଘଟଣାକୁ ନେଇ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି।ନବୀନ ଚିଠିରେ ଦର୍ଶାଇଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟର ଭୌଗୋଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଲଢ଼େଇ କରୁଥିଲି। ବିଜେପି ନେତାମାନେ ସେତେବେଳେ ବାରମ୍ବାର କହିଆସିଛନ୍ତି ଯେ କୋଟିଆ ଓଡ଼ିଶାର ଅଟେ ଏବଂ “ଆନ୍ଧ୍ର ଫେରିଯାଅ” ବୋଲି ସ୍ଲୋଗାନ ମଧ୍ୟ ଦେଇଥିଲେ। ଏପରିକି ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ ଡବଲ୍ ଇଞ୍ଜିନ୍ ସରକାର କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରିବେ, ଓଡ଼ିଶାର ଭୌଗୋଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବେ । ସେହି ପ୍ରତିଶ୍ରୁତିଗୁଡ଼ିକ କ’ଣ ହେଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି।
