ରାୟଗଡ଼ା:ରାୟଗଡ଼ା ଜିଲ୍ଲାରେ ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଗାଁକୁ ନାହିଁ ପକ୍କା ରାସ୍ତା, ପହଞ୍ଚିପାରୁନି ଆମ୍ବୁଲାନ୍ସ। ଫଳରେ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ଭରା ନାଗାବଳୀ ନଦୀ ପାର କରାଇଲେ ଗ୍ରାମବାସୀ। ଏଭଳି ଦୁର୍ଦ୍ଦଶାର ଚିତ୍ର ଆସିଛି ରାୟଗଡ଼ା ସଦର ବ୍ଲକ ବାଇସିଂ ପଞ୍ଚାୟତର ପୂଜାରୀବମ୍ବୁ ଗାଁରୁ। ଗତକାଲି ସନ୍ଧ୍ୟାରେ ଗାଁର ମହିଳା କୁମୁଟାଣୀ ବିଡ଼ିକା ରାସ୍ତାରେ ପଡ଼ିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ଆମ୍ବୁଲାନ୍ସକୁ ଡକାଯାଇଥିଲା।

କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ବେହେରାଗୁଡ଼ା ଗାଁରେ ଅଟକି ରହିଥିଲା। ଶେଷରେ ଗ୍ରାମବାସୀ ଖଟିଆରେ ରୋଗୀଙ୍କୁ ବୋହି ନାଗାବଳୀ ନଦୀ ପାର କରାଇବା ପରେ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କେବଳ ଆଜି ନୁହେଁ, ଗତକାଲି ମଧ୍ୟ ଗାଁର ଚାଣ୍ଟି ବିଡ଼ିକା ନାମକ ଅନ୍ୟ ଜଣେ ରୋଗୀଙ୍କୁ ଏଭଳି ଭାବେ ନଦୀ ପାର କରାଇ ଡାକ୍ତରଖାନା ନିଆଯାଇଥିଲା। ବାଇସିଂ ପଞ୍ଚାୟତର ଏହି ଗାଁକୁ ପକ୍କା ରାସ୍ତା ନଥିବାରୁ ପାହାଡ଼ ଓ ଜଙ୍ଗଲ ରାସ୍ତା ଦେଇ ଗଲେ ପ୍ରାୟ ୭ କିଲୋମିଟର ଅଧିକ ବୁଲିବାକୁ ପଡ଼ୁଛି। ଫଳରେ ଜରୁରୀ ସମୟରେ ନଦୀ ପାର ହେବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ। ତୁରନ୍ତ ରାସ୍ତା ନିର୍ମାଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ପ୍ରଶ୍ନ ଉଠୁଛି, ଆଉ କେତେଦିନ ଏଭଳି ଜୀବନକୁ ବାଜି ଲଗାଇ ନଦୀ ପାର ହେବେ ପୂଜାରୀବମ୍ବୁ ଗ୍ରାମବାସୀ?
