ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏସଡିପିଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଫତେଗଡ଼ ଥାନାରେ ଏସଡିପିଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ଏନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ।ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ଜୁଲାଇ ୩ ତାରିଖରେ ଘଟିଥିବା ଏକ ଗଣ୍ଡଗୋଳ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାରେ ଫତେଗଡ଼ ଜେଏମ୍ଏଫ୍ସି (JMFC) କୋର୍ଟରୁ ଏକ ସମନ୍ ମଧ୍ୟ ଆସିଥିଲା। ଏହି ଘଟଣାର ତଦନ୍ତ ଆଳରେ ଏସ୍ଡିପିଓ ମଦନ ମୋହନ ପ୍ରଧାନ ତାଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ମୁତାବକ, ପୋଲିସ ଅଧିକାରୀ ଜଣକ ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ସହିତ କଥାବାର୍ତ୍ତା କରିବା ସହ ଏକ ହୋଟେଲକୁ ଆସିବାକୁ ବାଧ୍ୟ କରିଥିଲେ। ମହିଳା ଜଣକ ଏଥିରେ ରାଜି ନହେବାରୁ ସେ ହ୍ଵାଟ୍ସଆପ୍ରେ ଅଶ୍ଳୀଳ ବାର୍ତ୍ତା ପଠାଇଥିଲେ, ଯାହାର ପ୍ରମାଣ ତାଙ୍କ ପାଖରେ ରହିଥିବା ମହିଳା ଦାବି କରିଛନ୍ତି।ଏପରିକି ମାନସିକ ଚାପ ମଧ୍ୟ ସୃଷ୍ଟି କରୁଛନ୍ତି । ତାଙ୍କ ସ୍ୱାମୀକୁ କୌଣସି ଏକ ମାମଲାରେ ଗିରଫ କରିବା ପାଇଁ ଧମକ ଦେଇ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ମହିଳା ଜଣଙ୍କୁ ଏସଡିପିଓ ଅଶ୍ଳୀଳ ଫଟୋ ମାଗିବା ସହ ବାରମ୍ବାର ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ।ଏମିତିକି ଏସଡିପିଓ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ଏକ ଅଡିଓ କ୍ଲିପ୍ ମଧ୍ୟ ମହିଳା ଜଣଙ୍କ ପ୍ରଦାନ କରିଛନ୍ତି । ଯେଉଁଥିରେ ଏସଡିପି ଅଟୋରେ ଆସି ରାତିରେ ରହିବାକୁ କହୁଥିବା ଏବଂ ସମ୍ପର୍କ ରଖିଲେ କିଛି ଅସୁବିଧା ହେବ କି ବୋଲି ପ୍ରଶ୍ନ କରିଥିବା ଶୁଣିବାକୁ ମିଳିଛି । ଉକ୍ତ ମହିଳା ଏହାକୁ ବାରମ୍ବାର ବିରୋଧ କରିବା ସହ ଅନେକ ସମୟରେ ଏଡ଼ାଇ ଯିବାକୁ ବାଧ୍ୟ ହୋଇଥିଲେ ବି ଏସଡିପି ତାଙ୍କ ପିଛା ଛାଡ଼ୁ ନଥିବା ଅଭିଯୋଗ କରିଛନ୍ତି । ଏନେଇ ମହିଳା ଜଣଙ୍କ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିବା ଜଣାପଡିଛି ।
