ଦେଶରେ ଖୁବଶୀଘ୍ର ଚାଲିବ ପଲିମର ନୋଟ୍ । ପାଇଲଟ୍ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭରର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ଲାଷ୍ଟିକ୍ ନୋଟ୍ ଆଣିବା ପ୍ରସ୍ତାବ ବିଚାରାଧୀନ ରହିଛି। କିନ୍ତୁ ସେହି ଯୋଜନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଏହାର ଭଲ ଓ ଖରାପ ଦିଗଗୁଡ଼ିକ ବିଷୟରେ ବିଚାର କରାଯାଉଛି। ପ୍ଲାଷ୍ଟିକ୍ ନୋଟ୍ ପ୍ରକୃତରେ ଲାଭଦାୟକ ହେବ ନା ନାହିଁ ତାହା ରିଜର୍ଭ ବ୍ୟାଙ୍କ ଜାଣିବାକୁ ପ୍ରୟାସ କରୁଛି।ଭାରତରେ କାଗଜ ନୋଟ୍ ଛପାଇବା ଖର୍ଚ୍ଚ ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଆରବିଆଇ ନୋଟ୍ ଛପା ବାବଦରେ ପ୍ରାୟ ୬ ହଜାର ୩୭୨ ଦଶମିକ ୮ କୋଟି ଟଙ୍କା ଖର୍ଚ୍ଚ କରିଛି । ଯାହା ପୂର୍ବ ବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ । ପ୍ରତିବର୍ଷ କୋଟି କୋଟି ମଇଳା ଏବଂ ଚିରା ନୋଟ୍ ବଜାରରୁ ପ୍ରତ୍ୟାହାର କରିବାକୁ ପଡୁଛି, ଯାହା ଆର୍ଥିକ ବୋଝ ବଢ଼ାଉଛି । ଡିଜିଟାଲ୍ ପେମେଣ୍ଟ ବଢ଼ୁଥିଲେ ମଧ୍ୟ ନଗଦ ଟଙ୍କାର ଚାହିଦା କମିନାହିଁ । ଭାରତର ଆଦ୍ର ଓ ଗ୍ରୀଷ୍ମମଣ୍ଡଳୀୟ ପାଣିପାଗ ଯୋଗୁଁ କମ ମୂଲ୍ୟର ନୋଟ୍ ଅତି ଶୀଘ୍ର ନଷ୍ଟ ହୋଇଯାଏ । ଏହାର ସମାଧାନ ହେଉଛି ପଲିମର ନୋଟ୍ । ଏହା ସାଧାରଣ କାଗଜ ନୋଟ୍ ତୁଳନାରେ ୨.୫ ରୁ ୪ ଗୁଣ ଅଧିକ ସମୟ ତିଷ୍ଠିଥାଏ । ଟ୍ରାନ୍ସପରେଣ୍ଟ ଉଇଣ୍ଡୋ ଏବଂ ହୋଲୋଗ୍ରାମ ଭଳି ଅତ୍ୟାଧୁନିକ ସୁରକ୍ଷା ଫିଚର୍ସ ରହିବ । ଯାହାଦ୍ୱାରା ଜାଲ୍ ନୋଟ୍ ପ୍ରସ୍ତୁତ ଅସମ୍ଭବ ହୋଇପଡ଼ିବ । ଏକ ସୀମିତ ଅଞ୍ଚଳରେ ଏହାର ଟ୍ରାଏଲ୍ କରାଯାଇ ଏଟିଏମ୍ ଏବଂ ଭେଣ୍ଡିଂ ମେସିନ ସହ ଏହାର ସାମଞ୍ଜସ୍ୟ ପରଖାଯିବ । ଏହି ପାଇଲଟ୍ ପ୍ରୋଜେକ୍ଟର ସଫଳତା ପରେ ଯାଇ ସାରା ଦେଶରେ କାଗଜ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେବ ।
