
ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଅଡିସନ ଗଣିଆ ବ୍ଲକରୁ ଆରମ୍ଭ ହୋଇଛି। ଗଣିଆ ବ୍ଲକ ଶିକ୍ଷକ ଭବନଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଯୁବ କଣ୍ଠଶିଳ୍ପୀ ଅଂଶଗ୍ରହଣ କରିଥିଲେ।
ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା, ଶିକ୍ଷକ ସଂଘ ସମ୍ପାଦକ ଶୋଭନ କୁମାର ପଣ୍ଡା, ‘ସଙ୍ଗୀତଧାରା’ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ସଂଯୋଜକ ଲକ୍ଷ୍ମୀଧର ସାହୁ ଏବଂ ସଙ୍ଗୀତ ବିଶାରଦ ରବୀନ୍ଦ୍ର କୁମାର ଦାଶ ଓ ଅଶୋକ କୁମାର ମଲ୍ଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଗଣିଆ ବ୍ଲକର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସଂଗୀତାନୁଷ୍ଠାନରୁ ୧୪ରୁ ୨୪ ବର୍ଷ ବୟସ ବର୍ଗର ପ୍ରତିଯୋଗୀମାନେ ଏଥିରେ ଭାଗ ନେଇଥିଲେ। ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି କ୍ରମେ ଓଁକାର ମହାପାତ୍ର, ଜ୍ୟୋତି ପ୍ରକାଶ ସ୍ୱାଇଁ, ଅଭିମନ୍ୟୁ ପଣ୍ଡା, ଓମ କୁମାର ସାହୁ ଏବଂ ଅର୍ଚ୍ଚିତା ଖଟୁଆ ସେମିଫାଇନାଲ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତାର ସମସ୍ତ କଣ୍ଠଶିଳ୍ପୀଙ୍କୁ ସଙ୍ଗୀତଧାରା ପକ୍ଷରୁ ମେଡାଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ପ୍ରଥମ ପର୍ଯ୍ୟାୟ ଅଡିସନ ଅନୁଷ୍ଠିତ ହେଉଛି। ଚୂଡ଼ାନ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରୁଥିବା କଣ୍ଠଶିଳ୍ପୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହ ୧୧,୦୦୦ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀଙ୍କୁ ଯଥାକ୍ରମେ ୫,୦୦୦ ଟଙ୍କା ଓ ୩,୦୦୦ ଟଙ୍କା ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
