ଓଡ଼ିଶାରେ ଚଳିତ ଖରିଫ ଋତୁ (୨୦୨୬-୨୭) ପାଇଁ ଧାନ ବିକ୍ରି ନିମନ୍ତେ ଚାଷୀଙ୍କ ପଞ୍ଜୀକରଣ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ରାଜ୍ୟରେ ଏଥର ସର୍ବକାଳୀନ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି , ଚଳିତ ବର୍ଷ ମୋଟ ୨୨ ଲକ୍ଷ ୨୮ ହଜାର ଚାଷୀ ସେମାନଙ୍କ ଧାନ ବିକ୍ରି କରିବା ପାଇଁ ସଫଳତାର ସହ ପଞ୍ଜୀକରଣ କରିଛନ୍ତି । ଗତବର୍ଷ ଏହି ସଂଖ୍ୟା ୧୯ ଲକ୍ଷ ୬୭ ହଜାର ଥିଲା । ଅର୍ଥାତ୍ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୨ ଲକ୍ଷ ୬୧ ହଜାରରୁ ଅଧିକ ନୂଆ ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।ଅଦିନିଆ ପ୍ରବଳ ବର୍ଷା ଯୋଗୁଁ ଅନେକ ଚାଷୀ ନିର୍ଦ୍ଧାରିତ ସମୟ (ଅଗଷ୍ଟ ୩୧) ସୁଦ୍ଧା ପଞ୍ଜୀକରଣ କରିପାରିନଥିଲେ । ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏବେ ଏହି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି ।
