ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ନେଇ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ଚିଠି କରାଯାଇଛି ।କ୍ୟାମ୍ପସରେ ବାରମ୍ବାର ଯୌନ ନିର୍ଯାତନା, ଛାତ୍ରୀଙ୍କୁ ଦୁର୍ବବ୍ୟହାର, ଅଶ୍ଲୀଳ ଆଚରଣ ପ୍ରଦର୍ଶନର ଅଭିଯୋଗ ହେଉଛି । ଏହାକୁ ନେଇ ଏବେ ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । ଏଣିକି ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଏକ ସୁରକ୍ଷିତ କ୍ୟାମ୍ପସ ହେବ । ସେଥିଲାଗି ସମସ୍ତ କ୍ଲାସରୁମ୍ ତଥା ଶ୍ରେଣୀର କବାଟ ଆଉ ଚିରାଚରିତ କାଠର ଲାଗିବ ନାହିଁ । କାଚ ଭଳି ଟ୍ରାନ୍ସପାରେଣ୍ଟର କବାଟ, ଝରକା ଲାଗିବ । ଏପରିକି ଶ୍ରେଣୀଗୃହ ଚାଲିଥିବା ସମୟରେ କବାଟ, ଝରକା ବନ୍ଦ ରହିବ ନାହିଁ । ସବୁ ସ୍ଥାନରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । କ୍ୟାମ୍ପସରେ ଥିବା ଅନ୍ଧାର ସ୍ଥାନକୁ ଆଲୋକୀକରଣ କରାଯିବ । ମହିଳାଙ୍କ ପାଇଁ ଏକ ସୁରକ୍ଷିତ ଓ ସ୍ୱଚ୍ଛ ଶୌଚାଳୟ ରହିବ । ଏପରିକି ସବୁ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) କମିଟି ଗଠନ ବାଧ୍ୟତାମୂଳକ । ବିଭାଗ ଏସମସ୍ତ ନିର୍ଦ୍ଦେଶରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ସ୍ଥଳେ ମାନ୍ୟତା ତଥା ସ୍ୱୀକୃତିକୁ ବାତିଲ କରାଯିବ । ଏପରି କଡ଼ା ଚେତାବନୀ ଦେଇଛି ବିଭାଗ ।
