
ନୟାଗଡ଼,(ଓଡ଼ିଶା ଦର୍ପଣ):ଚେସ ଖେଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସର୍ବ ଭାରତୀୟ ଚେସ ଫେଡେରେସନ, ନୂଆଦିଲ୍ଲୀ ଦ୍ୱାରା ଅନୁଷ୍ଠିତ ଜାତୀୟ ଆର୍ବିଟର ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୩ ଜଣ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେମାନେ ହେଲେ ଜିଲ୍ଲା ଚେସ ଆସୋସିଏସନ ଉପ ସଭାପତି ବାଲା୍ରସେନ ପାତ୍ର, ସମ୍ପାଦକ ଲକ୍ଷ୍ମୀଧର ସାହୁ ଏବଂ ରାଜ୍ୟ ଚେସ ଆସୋସିଏସନ ସଦସ୍ୟ ରିତେଶ ରଥ। ସୂଚନା ଯୋଗ୍ୟ ଯେ ଏହି ଆର୍ବିଟର ମାନେ ବିଭିନ୍ନ ସ୍ୱୀକୃତି ପ୍ରାପ୍ତ ଚେସ ଟୁର୍ଣ୍ଣାମେଣ୍ଟ ଗୁଡ଼ିକୁ ପରିଚାଳନା କରିଥାନ୍ତି। ଗତ ଜାନୁଆରୀ ମାସ ୧୮ ତାରିଖରେ ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ଜାତୀୟ ସ୍ତରୀୟ ଆର୍ବିଟର ପରୀକ୍ଷାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୫୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କେରଳରୁ ଦେଇଥିବା ୩ ଜଣଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି। ଚଳିତ ଥର ଓଡ଼ିଶାରୁ ସର୍ବାଧିକ ୧୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ରାଜ୍ୟରେ ସର୍ବମୋଟ ଆର୍ବିଟର ସଂଖ୍ୟା ୬୬ ରେ ପହଞ୍ଚିଛି। ତେବେ ନୟାଗଡ଼ ଜିଲ୍ଲାରେ ଆଦୌ ଆର୍ବିଟର ନଥିବା ବେଳେ ପ୍ରଥମ ଥର ପାଇଁ ୩ ଜଣ ଆର୍ବିଟର ସୃଷ୍ଟି ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିଥିବା ବେଳେ ରାଜ୍ୟ ଚେସ ଆସୋସିଏସନ ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ, ଜିଲ୍ଲା ଚେସ ଆସୋସିଏସନ ସଭାପତି ଭାଗିରଥି ଦାସ, କୋଷାଧକ୍ଷ ତାରୁନ ଖାଁ, ସହ ସମ୍ପାଦକ ଉମାକାନ୍ତ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
