ଜାନୁଆରୀ ୧ ସୁଦ୍ଧା ଦେଶରେ ୯୭.୩୮ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ଫେରିବା ସଫଳ

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଏକ ବଡ଼ ଅପଡେଟ୍‌ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ।୨୦୨୩ ଡିସେମ୍ବର ୨୯ ତାରିଖ ବ୍ୟବସାୟ ବନ୍ଦ ହେବା ପୂର୍ବରୁ ଆଉ ମାତ୍ର ୯,୩୩୯ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ ପଡ଼ି ରହିଛି ବୋଲି ଆର୍‌ବିଆଇ କହିଛି।୧୯ ମେ ୨୦୨୩ରେ ପ୍ରଥମେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନେଇ ଆର୍‌ବିଆଇ ଘୋଷଣା କରିଥିଲା। ସେତେବେଳେ ମାର୍କେଟ୍‌ରେ ୩.୫୬ ଲକ୍ଷ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ପଡ଼ି ରହିଥିଲା। କ୍ଲିନ୍‌ ନୋଟ୍‌ ପଲିସି ଅନୁସାରେ ଆର୍‌ବିଆଇ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ବ୍ୟାଙ୍କରେ ନୋଟ୍ ଫେରାଇବାକୁ ଦୁଇଥର ତାରିଖ ଘୁଞ୍ଚାଇଥିଲେ କେନ୍ଦ୍ର ସରକାର। ୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଶେଷ ସମୟସୀମା ଦିଆଯାଇଥିଲା। ଏହି ସମୟରେ ଏକ୍ସଚେଞ୍ଜ ଓ ଡିପୋଜିଟ୍ ଆକାରରେ ନୋଟ୍ ସଂଗ୍ରହଣ କରାଯାଉଥିଲା।

ଗ୍ରାହକଙ୍କ ସୁବିଧା ପାଇଁ ରିଜର୍ଭ ବ୍ୟାଙ୍କ ଅକ୍ଟୋବର ୮, ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କ ଏବଂ ଡାକଘରେ ୨ ହଜାର ଟଙ୍କିଆ ନୋଟ ବିନିମୟ କରିବାର ସୁବିଧା ଦେଇଥିଲା। ଏହା ପରେ ମଧ୍ୟ, ଯଦି ଆପଣ ନୋଟ ବିନିମୟ କରିବାରେ ବିଫଳ ହୋଇଛନ୍ତି ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ରିଜର୍ଭ ବ୍ୟାଙ୍କର ୧୯ଟି କାର୍ଯ୍ୟାଳୟକୁ ଯାଇ ନୋଟ ପରିବର୍ତ୍ତନ କରିପାରିବେ। ଆରବିଆଇ କାର୍ଯ୍ୟାଳୟ ନୂଆଦିଲ୍ଲୀ, ପାଟନା, ଲକ୍ଷ୍ନୌ, ମୁମ୍ବାଇ, ଭୋପାଳ, ଜୟପୁର, ଚଣ୍ଡିଗଡ଼, ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚେନ୍ନାଇ, ଗୁଆହାଟୀ, ହାଇଦ୍ରାବାଦ, ଜମ୍ମୁ, କାନପୁର, କୋଲକାତା, ଥିରୁଭାନନ୍ତପୁରମ ଏବଂ ନାଗପୁରରେ ନୋଟ ବିନିମୟ କରିବାର ସୁବିଧା ଉପଲବ୍ଧ ହେଉଛି। ଏହା ବ୍ୟତୀତ ଆପଣ ନିଜ ଘର ନିକଟସ୍ଥ ଯେକୌଣସି ଡାକଘରକୁ ଯାଇ ପୋଷ୍ଟ ମାଧ୍ୟମରେ ନୋଟ ବିନିମୟ କରିପାରିବେ।

ଅଧିକ ପଢନ୍ତୁ