ଜିଲ୍ଲାସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ  ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଜନ୍ମ ଶତାବ୍ଦୀ ବର୍ଷକୁ ଏକ ବିଂଶ ଶତାବ୍ଦୀ- ନାରୀ ଶତାବ୍ଦୀ ଭାବେ ବିବେଚନା କରାଯାଇ ଅଖିଳ ବିଶ୍ବ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ମାର୍ଗଦର୍ଶନରେ ପ୍ରତ୍ଯେକ ଜିଲ୍ଲାରେ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ ହେଉଅଛି।
ଏହି ପରିପ୍ରେକ୍ଷୀରେ ସକାଳ ୯ଟା ସମୟରେ ନୟାଗଡ଼ ଜିଲ୍ଲା ଗାୟତ୍ରୀ ପରିବାର ର ସମସ୍ତ ମହିଳା ମାଆ ଭଉଣୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧ଟା ସମୟରେ ନୟାଗଡ଼ ବ୍ଳକ୍ ସଭାଗୃହରେ ନୟାଗଡ଼ ବ୍ଳକ୍ ସଂଯୋଜିକା ଭଉଣୀ କୁକୁମ ବେହେରାଙ୍କ ସଂଯୋଜନାରେ ନାରୀଜାଗରଣ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌର ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ନାରୀ ସର୍ବଶକ୍ତିର ଆଧାର ବୋଲି କହିବା ସହିତ ନାରୀର ସାଧନା ଓ ତପସ୍ୟା ବଳରେ ଘର ପରିବାର ର ସମସ୍ତ ବିପତ୍ତି ଦୂର ହୋଇଯାଏ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଜୋନ୍ ର ଆସନ୍ତୁ ଗଢିବା ସଂସ୍କାରବାନ ପିଢିର ସଂଯୋଜିକା ବିଳାସିନୀ ସାହୁ , ଓଡିଶା ନାରୀଜାଗରଣ କାର୍ଯ୍ୟକ୍ରମ ର ରାଜ୍ଯ ସଂଯୋଜିକା ଉର୍ମିଳା ମିଶ୍ର , ଆସନ୍ତୁ ଗଢିବା ସଂସ୍କାରବାନ ପିଢିର ରାଜ୍ଯ ସଂଯୋଜକ ବିଚିତ୍ରାନନ୍ଦ ସାହୁ ଯୋଗଦେଇ ଥିଲା ବେଳେ ନୟାଗଡ଼ ଜିଲ୍ଲା ଗାୟତ୍ରୀ ପରିବାର ର ଜିଲ୍ଲା ସଂଯୋଜକ ରାମଚନ୍ଦ୍ର ଦାସ ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ଯ ରଖିଥିଲେ। ଉତ୍ତମ ସନ୍ତାନ ଟିଏ ଧରାପୃଷ୍ଠରେ ଭୂମିଷ୍ଠ ହେଲେ ଉତ୍ତମ ସମାଜ ଗଠନ ହୋଇ ପାରିବ, ତେଣୁ ସଂସ୍କାରବାନ ପିଢି ଗଢିବାରେ ମାଆ ମାନଙ୍କର ଭୂମିକା ଉପରେ ମତବ୍ୟକ୍ତ କରିବା ସହିତ ନାରୀ ହେଉଛି ଘର ପରିବାର ରାଜ୍ଯ, ଦେଶ ଓ ବିଶ୍ବର ପ୍ରଗତିର ମୂଳ ଆଧାର ବୋଲି ସମସ୍ତ ଅତିଥି ମାନେ ସାରଗର୍ଭକ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ସ୍ବାବଲମ୍ବୀ ମହିଳା ମାନଙ୍କୁ ସମ୍ମାନିତ କରାଯାଇ ଥିଲାବେଳେ ଜିଲ୍ଲାର ବରିଷ୍ଠ କାର୍ଯ୍ଯକର୍ତ୍ତା ମାନଙ୍କୁ ସମ୍ମାନିତ କରାଯାଇ ଥିଲା। ନୟାଗଡ଼ ଜିଲ୍ଲା ର ପ୍ରାକ୍ତନ ଜିଲ୍ଲା ପ୍ରମୁଖ ରାହାସ ବିହାରୀ ସେଠୀ ଓ ପ୍ରାକ୍ତନଜିଲ୍ଲା ସଂଯୋଜକ ଶ୍ରୀଧର ସାହୁ ଆଗାମୀ କାର୍ଯ୍ୟକ୍ରମ ପାଇଁ ନିଜ ନିଜର ବକ୍ତବ୍ଯ ରଖିଥିଲେ।ନୟାଗଡ଼ ଜିଲ୍ଲା ର ପ୍ରତ୍ଯେକ ବ୍ଳକରୁ ମହିଳା ମାନେ ଯୋଗଦେଇ ଥିଲା ବେଳେ ନୟାଗଡ଼ ଗାୟତ୍ରୀ ପରିବାର ର ବରିଷ୍ଠ କାର୍ଯ୍ୟକର୍ତ୍ତା ଡାକ୍ତର ମଧୁମିତା ଷଡଙ୍ଗୀ, ପ୍ରଭାତ ବେହେରା, ଅଜୟ ସାହୁ, ପ୍ରାଣକୃଷ୍ଣ ସାହୁ, ବିଜୟ କୁମାର ପଣ୍ଡାଙ୍କ ସମେତ ପ୍ରତ୍ଯେକ ବ୍ଳକର ବରିଷ୍ଠ କାର୍ଯ୍ଯକର୍ତ୍ତା ମାନେ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ