ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ। ଏନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି ।ନୂଆ ଆକ୍ଟ ଅନୁଯାୟୀ, ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ ହେବ ଭିବି-ଜିରାମ-ଜି। ଯାହା ପୂର୍ବରୁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ ମନରେଗା ନାମରେ ଜଣାଶୁଣା ଥିଲା।ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଦୁର୍ନୀତି ଚାଲିଥିଲା । ଏଥିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ୨୦୨୫ ବିଲକୁ ଆଇନରେ ପ୍ରଣୟନ କରାଯାଇଥିଲା । VB G RAM G ବିଲ୍ ପୁରା ଦେଶର ଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ।ପୂର୍ବରୁ ମନରେଗାରେ କେବଳ ୧୦୦ ଦିନର ରୋଜଗାର ପାଇଁ ଗ୍ୟାରେଣ୍ଟି ଥିଲା । ମାତ୍ର ଅନେକ ସମୟରେ ୧୦୦ଦିନର କାମ ମିଳୁ ନ ଥିଲା । କେବଳ ୪୦ରୁ ୫୦ ଦିନର କାମ ପାଇ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ‘ଭିବି ଜି ରାମ ଜି’ ଯୋଜନାରେ କର୍ମନିଯୁକ୍ତି ଅବଧିକୁ ୧୦୦ ଦିନରୁ ବୃଦ୍ଧି କରାଯାଇ ୧୨୫ ଦିନ କରାଯାଇଛି । ଏହି ଯୋଜନାରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟ ପୂରଣ ହୋଇପାରିବ ।
