ଟ୍ରକ୍ ୟୁନିୟନ୍ ଆର୍ଥିକ ହେରଫେର ମାମଲା, ପୂର୍ବତନ ସାଂସଦଙ୍କ ଘର ସମେତ ୧୧ ସ୍ଥାନରେ EOW ଚଢ଼ାଉ।

ରାୟଗଡ଼ା:ରାୟଗଡ଼ା ଟ୍ରକ୍ ଓନର୍ସ ଆସୋସିଏସନ୍‌ରେ ପ୍ରାୟ ୮୦ କୋଟି ଟଙ୍କାର ଆର୍ଥିକ ହେରଫେର ଅଭିଯୋଗ। ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଘର ସମେତ ରାୟଗଡ଼ା, ଭୁବନେଶ୍ୱର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ EOW ଚଢ଼ାଉ କରିଛି। ୮ଟି ଟିମ୍‌ରେ ୨୫ ଜଣ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।ଟ୍ରକ୍ ମାଲିକ ସଂଘର ପୂର୍ବତନ ସଭାପତି ୱାଇ. ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ପ୍ରାୟ ୮୦ କୋଟି ଟଙ୍କା ହଡ଼ପ ନେଇ ଅଭିଯୋଗ କରିଥିଲେ। ୨୦୦୫ ମସିହାରୁ ଟ୍ରକ୍ ମାଲିକଙ୍କଠାରୁ ବିଭିନ୍ନ ଆଳରେ ଟଙ୍କା ଆଦାୟ ଏବଂ ନକ୍ସଲ କାର୍ଯ୍ୟକଳାପ ନାଁରେ ମଧ୍ୟ ଅର୍ଥ ସଂଗ୍ରହ ହୋଇଥିବା ଅଭିଯୋଗ ରହିଛି। ଏହି ଅର୍ଥର ହିସାବ ଓ ରସିଦ୍ ନଥିବା ସହ ଲଜିଷ୍ଟିକ୍ସ, ଟ୍ରେଡିଂ, ମାଇନିଂ ଓ ରିଅଲ୍ ଏଷ୍ଟେଟ୍ ବ୍ୟବସାୟରେ ଟଙ୍କା ଲଗାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି EOWର ୮ଟି ଟିମ୍ ରାୟଗଡ଼ା ଓ ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛନ୍ତି। ରାୟଗଡ଼ାର ରାଣୀଗୁଡ଼ା ଫାର୍ମ, ପିତାଳ ଷ୍ଟ୍ରିଟ୍, ରାୟତ କଲୋନୀ, ଟ୍ରକ୍ ଓନର୍ସ ଆସୋସିଏସନ୍ କାର୍ଯ୍ୟାଳୟ ଓ ଗୌତମ ନଗରରେ ଯାଞ୍ଚ ଚାଲିଛି। ଏଥିସହ ବିଶାଖାପାଟଣାରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି।ଅନ୍ୟପକ୍ଷରେ, ଭାସ୍କର ରାଓଙ୍କ ଭାସ୍କର ଛକସ୍ଥିତ ବାସଭବନରେ ସକାଳ ସାଢ଼େ ୮ଟାରୁ EOW ଟିମ୍ ପହଞ୍ଚିଥିଲା। ଘରେ ତାଲା ପଡ଼ିଥିବାରୁ ଅଧିକାରୀମାନେ ଅପେକ୍ଷା କରିଥିଲେ। ପରେ ଚାବି ଆସିବା ପରେ ଅପରାହ୍ନ ପ୍ରାୟ ୩ଟାରେ ଘର ଖୋଲାଯାଇ ଯାଞ୍ଚ ଆରମ୍ଭ ହୋଇଥିଲା। ଘରେ ଥିବା କିଛି ସହାୟକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏନେଇ ଟ୍ରକ୍ ଓନର୍ସ ଆସୋସିଏସନ୍ ସିଏ ପୃଥିବୀରାଜ ଧନପତି ପ୍ରତିକ୍ରିୟା ରଖିଛନ୍ତି, ସେ ସରକାର ଓ EOW ଙ୍କକୁ ଧନ୍ୟବାଦ ଦେଇଛନ୍ତି। ତେବେ ଚଢ଼ାଉରେ କ’ଣ ସବୁ ତଥ୍ୟ ଓ କାଗଜପତ୍ର ମିଳିଛି, ସେନେଇ EOW ପକ୍ଷରୁ ଏଯାଏଁ କୌଣସି ଆଧିକାରିକ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ, ଏହି ଅଭିଯୋଗ ନେଇ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।

ଅଧିକ ପଢନ୍ତୁ