ଡବଲ୍ ଇଞ୍ଜିନ୍ ସରକାରରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା : ଅରୁଣ ସାହୁ

ଡବଲ୍ ଇଞ୍ଜିନ୍ ସରକାରରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା। ଚାଷୀ, ମହିଳା, ଯୁବକଙ୍କ ପରେ ଏବେ ବୃଦ୍ଧବୃଦ୍ଧାଙ୍କ ସହ ଖେଳିଲେ ସରକାର। ଭତ୍ତା ନମିଳିବା ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଭତ୍ତା ପାଇବା ପାଇଁ ଏବେ ୩ ରୁ ୪ ମାସ ସମୟ ଲାଗୁଛି। ପୂର୍ବରୁ ୩ ରୁ ୪ ମାସ ପରେ ମିଳିଥିଲା ଏବେ ଦୁଇ ମାସ ହେବ ମିଳିନି। ପ୍ରତିଦିନ ଭତ୍ତା ପାଇବା ପାଇଁ ପଞ୍ଚାୟତ ଅଫିସ୍, ବ୍ୟାଙ୍କ ଆଗରେ ଧାଡ଼ିରେ ଛିଡ଼ା ହୋଇ ହିତାଧିକାରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଦଳର ଭୋଗରାଇ ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ବିଜେପି ସରକାରକୁ ଆସିବା ପରେ ସବୁ କ୍ଷେତ୍ରରେ ଲୋକଙ୍କୁ ଧାଡ଼ିରେ ଛିଡ଼ା କରାଉଛି । ବୟସ୍କଙ୍କୁ ଧାଡ଼ିରେ ଛିଡ଼ା କରାଇ ସରକାର ତାଙ୍କୁ ଯେଉଁ ଯନ୍ତ୍ରଣା ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଡ଼ ଅରୁଣ ସାହୁ କହିଥିଲେ, ଡିଜିଟାଲ ଇଣ୍ଡିଆର ବାହାବାହା ନେଉଥିବା ଡବଲ ଇଞ୍ଜିନ ସରକାର ଅସହାୟ ମାନଙ୍କୁ ଆକାଉଣ୍ଟ ମାଧ୍ୟମରେ କି ଘର ପାଖରେ ଭତ୍ତା ଦେଇପାରୁନି । ସରକାରୀ ସ୍କୁଲ ଛାତ୍ରଛାତ୍ରୀ ୟୁନିଫର୍ମ ପାଇପାରୁ ନାହାନ୍ତି । ସରକାରୀ କର୍ମଚାରୀ ଠିକ୍ ସମୟରେ ଦରମା ପାଉନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘରେ ଭତ୍ତା ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । କିନ୍ତୁ ବର୍ତ୍ତମାନର ବାହାପିଆ ବିଜେପି ସରକାର ବୟସ୍କଙ୍କୁ ଖର୍ଚ୍ଚାନ୍ତ କରାଇ ଧାଡ଼ିରେ ଛିଡ଼ା କରାଉଛନ୍ତି ।ସେହିପରି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଜାତୀୟ ପେନସନ ଯୋଜନାରେ ଦୁଇ ମାସ ହେବ ଭତ୍ତା ମିଳୁନି। ନବୀନ ସରକାରରେ ୧୫ ତାରିଖ ଭିତରେ ଭତ୍ତା ମିଳୁଥିଲା। ବ୍ୟାଙ୍କ ପଞ୍ଚାୟତ ଅଫିସକୁ ଦୌଡି ହନ୍ତସନ୍ତ ହେଉଛନ୍ତି। ନବୀନ ସରକାରରେ ଭତ୍ତା ରାଶି ବୃଦ୍ଧି ସହ ହିତାଧିକାରୀଙ୍କ ସଂଖ୍ୟା ବଢ଼ିଥିଲା କିନ୍ତୁ ଏବେ ଭତ୍ତା ମିଳୁନି।

ଅଧିକ ପଢନ୍ତୁ