ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି ପରେ ଚେତିଲା ଶ୍ରମ ବିଭାଗ, ଏବେ ପ୍ରତ୍ୟେକ ବ୍ଲକରେ ହେବ ଦାଦନ ସର୍ଭେ

ସାରା ରାଜ୍ୟରେ ଦାଦନ ଶ୍ରମିକ ପାଇଁ ଏକ ବଡ଼ ରାକେଟ୍ କାମ କରୁଛି। ନିକଟରେ ତାମିଲନାଡୁ ଚିଙ୍ଗୁଡି ଫାକ୍ଟ୍ରିରେ ଘଟିଥିବା ଆମୋନିଆ ଗ୍ୟାସ ଅଘଟଣରେ କେନ୍ଦୁଝରର ଜୁଆଙ୍ଗ ସମ୍ପ୍ରଦାୟର ୧୫ ଜଣଙ୍କ ପ୍ରାଣହାନୀ ଘଟିଛି। ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ସାଂଘାତିକ ତଥ୍ୟ କହୁଛି, ଏମାନଙ୍କ ଭିତରୁ କିଛି ଜଣଙ୍କ ଆଧାର କାର୍ଡକୁ ଟ୍ୟାଂପରିଂ କରି ଦାଦନ ଶ୍ରମିକ ଭାବେ ପଠାଯାଇଥିଲା। ଖାଲି କେନ୍ଦୁଝର କାହିଁକି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦାଦନ ସମସ୍ୟା ବଡ଼ ଉତ୍କଟ। ନିରୀହ ଶ୍ରେଣୀର ଲୋକଙ୍କୁ ଲୋଭ ଦେଖାଇ ଦଲାଲ କେତେବେଳେ ତାମିଲନାଡୁ ତ ଆଉ କେତେବେଳେ ସୁରତ ଭଳି ସ୍ଥାନକୁ ଚାଲାଣ କରିଥାଏ। ଆଉ ବାହାର ରାଜ୍ୟରେ କେତେବେଳେ ଜୀବନ ଯାଉଛି ତ ଆଉ କେତେବେଳେ ପତ୍ତା ହଜିଯାଉଛି। କିନ୍ତୁ ଗରିବଙ୍କ ଅସହାୟତାକୁ ପୁଞ୍ଜି କରି ନାବାଳିକା ଓ ଶ୍ରମିକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବାହାର ରାଜ୍ୟକୁ ପଠାଉଥିବା ଦଲାଲଙ୍କ ବିରୋଧରେ ଏବେ ଆରମ୍ଭ ହେବ ବଡ଼ ଧରଣର ଅପରେସନ। ଦଲାଲଙ୍କୁ ଚିହ୍ନଟରୁ ଆରମ୍ଭ କରି ଗିରଫ ପର୍ୟ୍ୟନ୍ତ, ପ୍ରତ୍ୟେକ ପଦକ୍ଷେପ ଉପରେ ରହିବ ସରକାରଙ୍କ କଡ଼ା ନଜର।ଶ୍ରମମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ତତ୍ପରତା। ଶ୍ରମ ମନ୍ତ୍ରୀଙ୍କ ସିଧା ଚେତାବନୀ ବିନା ପଞ୍ଜୀକରଣରେ ବାହାରକୁ ଶ୍ରମିକ ପଠାଇଲେ ଦଲାଲଙ୍କୁ ଆଉ ନିସ୍ତାର ନାହିଁ। ଦାଦନ ଦଲାଲଙ୍କୁ ଚିହ୍ନଟ କରାଯିବ। ମାମଲା ରୁଜୁ ହେବ। ଆଇନ ଅନୁସାରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ। ଖାଲି ସେତିକି ନୁହେଁ… ପ୍ରତ୍ୟେକ ପଞ୍ଚାୟତକୁ ଦିଆଯାଇଛି ନୂଆ ଦାୟିତ୍ୱ। ବାହାରକୁ ଯାଉଥିବା ପ୍ରତ୍ୟେକ ଶ୍ରମିକଙ୍କ ନାମ, ଠିକଣା, କେଉଁଠି କାମ କରୁଛନ୍ତି, କାହା ପାଖରେ କାମ କରୁଛନ୍ତି ସବୁ ତଥ୍ୟ ରହିବ ଶ୍ରମ ବିଭାଗ ପାଖରେ। ଅର୍ଥାତ୍ ଏବେ ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ଉପରେ ରହିବ ସରକାରଙ୍କ ସିଧା ନଜର।ବିଗତ ତିନି ବର୍ଷରେ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ପ୍ରାଣ ହରାଇଛନ୍ତି ୨୬୨ ଜଣ ଓଡ଼ିଆ ଶ୍ରମିକ। ଏବେ ଦାଦନ ପ୍ରଥାକୁ ମୂଳରୁ ଉପାଡ଼ିବାକୁ ରାଜ୍ୟବ୍ୟାପୀ ଗ୍ରାଉଣ୍ଡ ସର୍ଭେ ଆରମ୍ଭ ହେବ। ବିଡିଓଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ସର୍ଭେ ଫର୍ମ। ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ ସହ ଫେରି ଆସୁଥିବା ଶ୍ରମିକଙ୍କୁ ଜିଲ୍ଲାରେ ରୋଜଗାର ଦେବାକୁ ମଧ୍ୟ ସରକାର ଯୋଜନା କରୁଛନ୍ତି। ବିଧାନସଭା ତଥ୍ୟ କହୁଛି ବଲାଙ୍ଗୀରରୁ ସର୍ବାଧିକ ପ୍ରାୟ ୫୦ ହଜାର ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇଛନ୍ତି। ସେହିପରି ଗତ ତିନି ବର୍ଷ ଭିତରେ ୨୬୨ ଜଣ ଦାଦନ ଶ୍ରମିକଙ୍କ ବିଭିନ୍ନ ରାଜ୍ୟରେ ମୃତ୍ୟୁ ଘଟିଛି। ଏବେ ଦେଖିବାର କଥା ତାମିଲନାଡୁ ଘଟଣା ପରେ ସରକାରଙ୍କ ଦାଦନ ଚିହ୍ନଟ ପ୍ରକ୍ରିୟା କେତେ ସୁରକ୍ଷା ଯୋଗାଉଛି।

ଅଧିକ ପଢନ୍ତୁ