ଦୁଇ ଭାଇଙ୍କ ମୃତ୍ୟୁ ଖବର ଦେଲା ଅସହ୍ୟ ଦୁଃଖ, କାନ୍ଦି କାନ୍ଦି ଟଳିପଡ଼ିଲେ ଭଉଣୀ

ମୃତ୍ୟୁ ଯେ କେତେବେଳେ ଓ କେଉଁ ରୂପରେ ଆସେ, ତାହା କେହି ଜାଣେନାହିଁ। ଗୋଟିଏ ପରିବାରରେ ଦୁଇ ଭାଇଙ୍କ ମୃତ୍ୟୁ ଖବର ପହଞ୍ଚିବାର କିଛି ସମୟ ପରେ ଆଉ ଜଣେ ସଦସ୍ୟଙ୍କ ଜୀବନଦୀପ ଲିଭିଯିବା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।ଖବର ଅନୁଯାୟୀ, ମୃତ ମହିଳା ହେଉଛନ୍ତି ଶ୍ରଦ୍ଧାଞ୍ଜଳି ସେନାପତି । ତାଙ୍କ ବୟସ-୩୨ ବର୍ଷ । ଗତକାଲି ମହିଳାଙ୍କର ଦୁଇ ମାଉସୀ ପୁଅ ଭାଇଙ୍କର ଜଳେଶ୍ବର ନିକଟସ୍ଥ ମାଟିପୁରା ଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ଶ୍ରଦ୍ଧାଞ୍ଜଳି କାନ୍ଦି ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ସ୍ୱାମୀ ଆଶିଷ ଗିରିଙ୍କ କହିବା ଅନୁଯାୟୀ, ଶ୍ରଦ୍ଧାଞ୍ଜଳିଙ୍କର ପ୍ରାୟ ୪ରୁ ୫ ବର୍ଷ ପୂର୍ବେ ହୃଦ୍ ରୋଗ ଜନିତ ଅସ୍ତ୍ରୋପଚାର ହୋଇଥିଲା ଏବଂ ହୃଦୟରେ ଦୁଇଟି ଭାଲଭ ପ୍ରତିରୋପଣ କରାଯାଇଥିଲା। ଏହି ଘଟଣାରେ ରାସଗୋବିନ୍ଦପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଅଧିକ ପଢନ୍ତୁ