ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ଏବେ ଚର୍ଚ୍ଚାରେ। ଗୋଦ୍ରା ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି।
ନିର୍ଦ୍ଦେଶକ ଧୀରଜ ସାରନାଙ୍କ ଫିଲ୍ମ ସାବରମତି ରିପୋର୍ଟକୁ ନେଇ ସବୁଆଡେ ଚର୍ଚ୍ଚା ବୃଦ୍ଧି ପାଉଛି । 2002 ରେ ଘଟିଥିବା ଗୋଦ୍ରା ରେଳ ଦୁର୍ଘଟଣାରେ ଅନୁପ୍ରାଣିତ ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତ ମେସି, ରାଶି ଖାନ୍ନା ଏବଂ ରିଦ୍ଧି ଡୋଗ୍ରା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । 22 ବର୍ଷ ପୂର୍ବେ ଗୁଜୁରାଟରେ ଗୋଦ୍ରା ଟ୍ରେନ୍ ଦୁର୍ଘଟଣାରେ 59 ଜଣ ପ୍ରାଣ ହରାଇଥିଲେ । ବକ୍ସ ଅଫିସରେ ଚଳଚ୍ଚିତ୍ରର ଏହା ଦ୍ୱିତୀୟ ସପ୍ତାହ । ପ୍ରଥମ ସପ୍ତାହରେ ଏହା 11.5 କୋଟି ସଂଖ୍ୟା ଅତିକ୍ରମ କରିଛି । ଏହାପୂର୍ବରୁ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିସାରିଛନ୍ତି । ଓଡ଼ିଶାରେ ସାବରମତୀ ରିପୋର୍ଟ ଟ୍ୟାକ୍ସ ଫ୍ରି ହୋଇଥିବା ନେଇ ଗୁରୁବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂଗ ଗୃହରେ ସୂଚନା ଦେଇଛନ୍ତି।