ସିନିୟର ନେତା ଚାହିଁଲେ ଗୋଡ ଟଣା ନୀତି ବନ୍ଦ ହେବ । ଏଭଳି କହି ବରିଷ୍ଠ କଂଗ୍ରେସ ନେତା ପୁର୍ବତନ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତେର୍ଚ୍ଚା ବାଣ ମାରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତକାଲି ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ପୁସ୍ତକ ଉନ୍ମୋଚିତ ହୋଇଛି । ପୁସ୍ତକରେ କଂଗ୍ରେସ ଦଳର ଗୋଡ଼ଟଣା ନୀତି ଓ ଏହା କଂଗ୍ରେସ ଦଳକୁ କ୍ଷତି କରୁଛି ବୋଲି ପୁସ୍ତକରେ ଲେଖିଛନ୍ତି ନିରଞ୍ଜନ । ଯଦି ଏହି ପ୍ରବୃତ୍ତି ବନ୍ଦ ନହୁଏ, ତେବେ କଂଗ୍ରେସର ଭବିଷ୍ୟତ ଆହୁରି ସଙ୍କଟରେ ପଡ଼ିବ ବୋଲି ସେ ସତର୍କ କରିଛନ୍ତି।ନିରଞ୍ଜନଙ୍କ ଏହି ମନ୍ତବ୍ୟ ପରେ ଚୁପ୍ ରହିନାହାନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ‘ନିରଞ୍ଜନ ବାବୁ ଜଣେ ଅଭିଜ୍ଞ ନେତା ଏବଂ ଦୀର୍ଘଦିନ ଧରି ରାଜ୍ୟ କଂଗ୍ରେସର ନେତୃତ୍ୱ ନେଇଛନ୍ତି। ସେ ଯାହା ଅନୁଭବ କରିଛନ୍ତି, ତାହା ପୁସ୍ତକରେ ଲେଖିଛନ୍ତି। କିନ୍ତୁ ଯଦି ଗୋଡ଼ ଟଣା ନୀତି ସତରେ ଅଛି, ତାହା ବନ୍ଦ କରିବା ପାଇଁ ସମସ୍ତ ସିନିୟର ନେତା ଆଗକୁ ଆସିବା ଦରକାର। ନିରଞ୍ଜନ ବାବୁ ଚାହିଁଲେ ମଧ୍ୟ ଏହି ପରମ୍ପରାକୁ ବନ୍ଦ କରିବାରେ ଭୂମିକା ନେଇପାରିବେ।’ ଏଥି ସହ ଭକ୍ତ କହିଛନ୍ତି, “ମୋ ଗୋଡ଼ କେହି ଟାଣୁନାହାନ୍ତି।”ଉପକୂଳ ଅଞ୍ଚଳରେ କଂଗ୍ରେସ ଦଳର ଅଧୋପତନ ସଂପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏଥିପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ଦାୟୀ ନୁହେଁ ପ୍ରଥମଥର ଲାଗି ଦୁଇ ଦୁଇଟି ଉପମୁଖ୍ୟମନ୍ତ୍ରୀ ପଦବି ସୃଷ୍ଟି ହେବା ଦ୍ବାରା କ୍ଷମତାର ବିକେନ୍ଦ୍ରୀକରଣ ଆରମ୍ଭ ହୋଇଥିଲା । ଏହାସହ ଦୁର୍ନୀତି ବଢ଼ିବା, ଅଞ୍ଜନା ଗଣଦୁଷ୍କର୍ମ ମାମଲା ଓ ମହାବାତ୍ୟା ଭଳି ଏକାଧିକ କାରଣ ପାଇଁ କଂଗ୍ରେସ ଓଡ଼ିଶାରେ କ୍ଷମତାରୁ ବଞ୍ଚିତ ହୋଇଛି। ୨୦୦୦ ମସିହାରେ ଶାସନକୁ ଆସିଥିବା ବିଜେଡି ୨୦୦୪ ମସିହା ପର୍ଯ୍ୟନ୍ତ ବେଶ୍ ଭଲ ସରକାର ଚଳାଇଥିଲା। ଏହି ସମୟରେ ଏତେଟା ଦୁର୍ନୀତି ନ ଥିଲା ଓ ଶାସନଠିକ୍ରେ ଚାଲିଥିଲା। ପରବର୍ତ୍ତୀ ସମୟରେ କ୍ଷମତାରେ ରହିବା ପାଇଁ ବିଜେଡି ସବୁକିଛି କରିବାକୁ ପଛାଇନାହିଁ |ରାଜନୈତିକ ମହଲରେ ଏବେ ପ୍ରଶ୍ନ ଉଠୁଛି, ନିରଞ୍ଜନଙ୍କ ଆତ୍ମଜୀବନୀ କେବଳ ଅତୀତର ଅନୁଭୂତି, ନା ବର୍ତ୍ତମାନ କଂଗ୍ରେସର ଭିତର କନ୍ଦଳର ପ୍ରତିଫଳନ? କାରଣ ପୁସ୍ତକ ଉନ୍ମୋଚନର କିଛି ଘଣ୍ଟା ମଧ୍ୟରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା ସ୍ପଷ୍ଟ କରିଛି ଯେ, ଦଳ ଭିତରେ ମତଭେଦର ପ୍ରସଙ୍ଗ ଏବେ ବି ଜୀବନ୍ତ ରହିଛି।
