ନୀଳକଣ୍ଠ ମିଶ୍ର ବିଶ୍ବବ୍ୟାଙ୍କର ନୂଆ ଇଡି : ତିନି ବର୍ଷ ପାଇଁ ନିଯୁକ୍ତି

ଆକ୍ସିସ୍‌ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ରଙ୍କୁ କେନ୍ଦ୍ର ସରକାର ବିଶ୍ବବ୍ୟାଙ୍କରେ ଭାରତର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି । ଉତ୍ତର ପ୍ରଦେଶ କ୍ୟାଡର୍‌ର ୧୯୮୧ ବ୍ୟାଚ୍‌ର ଅବସରପ୍ରାପ୍ତ IAS ଅଧିକାରୀ ପରମେଶ୍ଵରନ ଆୟରଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି ନୀଳକଣ୍ଠ ମିଶ୍ର । ୨୦୨୩ ଫେବ୍ରୁଆରୀରେ ପରମେଶ୍ଵରନ ଆୟରଙ୍କୁ ନିଯୁକ୍ତି ମିଳିଥିଲା ।ବିଶ୍ଵ ବ୍ୟାଙ୍କ ମୁଖ୍ୟାଳୟରେ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ରଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତିକୁ କମିଟି ଅଫ୍ ଦି କ୍ୟାବିନେଟ୍ ଅନୁମୋଦନ ଦେଇଛି । ନୀଳକଣ୍ଠ ମିଶ୍ର କାର୍ଯ୍ୟରେ ଯୋଗ ଦେବା ଠାରୁ ଏହି ପଦରେ ୩ ବର୍ଷ ରହିବେ ।

ଏବେ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟିର ସଦସ୍ୟ ଅଛନ୍ତି । ଉକ୍ତ କମିଟି କେନ୍ଦ୍ର ସରକାର ବିଶେଷକରି ପ୍ରଧାନମନ୍ତ୍ରୀଙ୍କୁ ଅର୍ଥନୀତି ନେଇ ପରାମର୍ଶ ଦେଇଥାଏ ।ଆକ୍ସିସ୍‌ ବ୍ୟାଙ୍କ  ସହ ଯୋଡ଼ି ହେବା ପୂର୍ବରୁ ଶ୍ରୀ ମିଶ୍ର କ୍ରେଡିଟ୍‌ ସୁଇସ୍‌ର ଦୁଇ ଦଶନ୍ଧି କାମ କରିଥିଲେ। ସେ ପରିଚାଳନା ନିର୍ଦ୍ଦେଶକ ପଦ ପର୍ଯ୍ୟନ୍ତ ପଦୋନ୍ନତୀ ପାଇଥିଲେ । ଆର୍ଥିକ ବଜାର, ସରକାରୀ ନୀତି ଓ ନିବେଶ ରଣନୀତି ଉପରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିବା ଶ୍ରୀ ମିଶ୍ର ମୁଖ୍ୟତଃ ଅର୍ଥନୈତିକ ଗବେଷଣା, ବଜାର ବିଶ୍ଳେଷଣ ଓ ନୀତି ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ।

ଅଧିକ ପଢନ୍ତୁ