ନେପାଳରେ ଜଳ ବିଭୀଷିକା । ନେପାଳରୁ ସୁରକ୍ଷିତ ଫେରିଲେ ପୁରୀର ୩ ଜଣ

ନେପାଳରୁ ସୁରକ୍ଷିତ ଭାବେ ଭାରତ ଫେରିଲେ ପୁରୀର ୩ ଜଣ । ନେପାଳରେ ବନ୍ୟା ଓ ବିପର୍ଯ୍ୟୟ ପରିସ୍ଥିତି ମଧ୍ୟରେ ଫସିଥିବା ପୁରୀର ୩ ଜଣ ନାଗରିକ ଶେଷରେ ସୁରକ୍ଷିତ ଭାବେ ଭାରତରେ ପ୍ରବେଶ କରିଛନ୍ତି । ସୂଚନା ଅନୁସାରେ, ଏହି ୩ ଜଣ ନେପାଳର କପିଳବସ୍ତୁ ଚେକ୍ ପୋଷ୍ଟ ଦେଇ ସୀମା ପାର୍ କରିଛନ୍ତି । ପରେ ସେମାନେ ଭାରତର ରକ୍ସୌଲ ଚେକ୍ ପୋଷ୍ଟରେ ପ୍ରବେଶ କରିଥିବା ଜଣାପଡ଼ିଛି ।ନେପାଳରେ ପ୍ରକୃତି ଦେଖାଇଛି ତା’ର କରାଳ ରୂପ। ବୁଧବାର ସକାଳେ ତିବ୍ବତ ସୀମା ନିକଟସ୍ଥ ନେପାଳର ରସୁୱା ଜିଲ୍ଲାରେ ଭୟଙ୍କର ଆକସ୍ମିକ ବନ୍ୟା ଆସିବାରୁ ଅନେକ ଗାଁ ଓ ବିଭିନ୍ନ ପ୍ରକଳ୍ପ ସ୍ଥଳୀ ଧୋଇଯାଇଛି । ବର୍ତ୍ତମାନ ସୁଦ୍ଧା ୧୬୦ ମୃତ, ଶତାଧିକ ନିଖୋଜ ଅଛନ୍ତି । ନେପାଳରେ ୪୦୩ ଜଣ ନିଖୋଜ ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୩୪୧ ଜଣ ବିଦେଶୀ ନାଗରିକ ଅଛନ୍ତି।ଅନ୍ୟପଟେ ନେପାଳ ବନ୍ୟାରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ ନିର୍ଦ୍ଦେଶରେ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ବିପଦରେ ଥିବା ଏବଂ ସହାୟତା ଆବଶ୍ୟକ କରୁଥିବା ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ହେଲପଲାଇନ ନମ୍ବର ଜାରି ହୋଇଛି । ହେଲପଲାଇନ୍ ନମ୍ବର ହେଲା ୦୧୧-୨୩୦୧୨୮୦୭ / ୭୪୨୮୧୩୫୦୪୪ / ୮୫୨୭୫୮୦୨୪୫ । ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ହେଲ୍ପଲାଇନ୍ ନମ୍ବର ଜାରି କରିଛି । +୯୭୭ ୯୮୫୧୩୧୬୮୦୭ / +୯୭୭ ୯୭୦୯୧୦୭୫୦୦ରେ ଫୋନ କରି ନିଖୋଜ ଭାରତୀୟଙ୍କ ସମ୍ବନ୍ଧରେ ତଥ୍ୟ ଓ ସୂଚନା ଦେବାକୁ ଅନୁରୋଧ କରାଯାଇଛି ।

ଅଧିକ ପଢନ୍ତୁ