କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ ମିଳିଥିବାବେଳେ ଆହୁରି ଅନେକ ହଜାର ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।୩,୭୦୦ରୁ ଅଧିକ ଲୋକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି । ହଜାର ହଜାର ସୁରକ୍ଷାକର୍ମୀ ଉଦ୍ଧାର ଓ ସନ୍ଧାନ ଅଭିଯାନରେ ନିୟୋଜିତ ଅଛନ୍ତି ।
ତେବେ ସ୍ଥିତି ଏଭଳି ହେଲାଣି ଯେ, ମୃତଦେହଗୁଡ଼ିକୁ ରଖିବାକୁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ମୃତଦେହଗୁଡ଼ିକୁ ନୁୱାକୋଟ, ଚିତୱାନ, ତାନାହୁନ ଓ ନବଲପରାସି ସମେତ କେନ୍ଦ୍ରୀୟ ନେପାଳର ବିସ୍ତୃତ ଅଞ୍ଚଳରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ହସ୍ପିଟାଲଗୁଡ଼ିକରେ ସ୍ଥାନ ସରିଯିବା ପରେ ଅନେକ ଜିଲ୍ଲାର କର୍ତ୍ତୃପକ୍ଷ ମୃତଦେହଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି । ଅଧିକ ମୃତଦେହ ଉଦ୍ଧାର ହେଲେ ଏସବୁର ସଂରକ୍ଷଣ ପାଇଁ ଅସ୍ଥାୟୀ ସୁବିଧା ପ୍ରସ୍ତୁତ କରାଯାଉଛି ।
