ଅପ୍କମିଙ୍ଗ ବଲିଉଡ୍ ଫିଲ୍ମ ‘କେଡି: ଦ ଡେଭିଲ୍’ର ଗୀତ ‘ସର୍କେ ଚୁନର୍ ତେରୀ ସର୍କେ’କୁ ନେଇ ବିବାଦ ତେଜିଛି । ଗୀତରେ ନୋରା ଫତେହି ଓ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି । ବ୍ୟାପକ ବିରୋଧ ଓ ସମାଲୋଚନା ପରେ ନିର୍ମାତା ଏହାର ହିନ୍ଦୀ ଭର୍ସନକୁ YouTubeରୁ ଆନୁଷ୍ଠାନିକ ଭାବେ ହଟାଇ ଦେଇଛନ୍ତି ।କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏପର୍ଯ୍ୟନ୍ତ ସୁଦ୍ଧା ମଧ୍ୟ ଏହି ଗୀତଟି ଅନ୍ୟାନ୍ୟ ଭାଷାରେ ଶୁଣିବାକୁ ମିଳୁଛି । ଏହାର ତାଲିମ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଭାଷାରେ ଏବେ ବି YouTubeରେ ଶୁଣିବାକୁ ମିଳୁଛି । ଗୀତରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ବ୍ୟତୀତ ଜାତୀୟ ମାନବାଧିକାର କମିଶନ(NHRC) ଗୀତର ଅଶ୍ଳୀଳତାକୁ ନେଇ ଏକ ନୋଟିସ୍ ଜାରି କରିଛନ୍ତି ।ରିପୋର୍ଟ ଅନୁସାରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏ ମାମଲାରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)କୁ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି । ଗୀତକୁ ସମସ୍ତ ମିଡିଆ ପ୍ଲାଟ୍ଫର୍ମରୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଫିଲ୍ମ ଓ ମ୍ୟୁଜିକ୍ ଭିଡିଓଗୁଡ଼ିକରେ ଅଶ୍ଳୀଳ କିମ୍ବା ଆପତ୍ତିଜନକ ବିଷୟବସ୍ତୁ ଉପରେ କଡ଼ା ନଜର ରଖିବାକୁ ମନ୍ତ୍ରଣାଳୟ ଦର୍ଶାଇଛି । ଆବଶ୍ୟକ ହେଲେ, ଅଶ୍ଳୀଳ କିମ୍ବା ସାର୍ବଜନୀନ ନୈତିକତା ପାଇଁ କ୍ଷତିକାରକ ବିଷୟବସ୍ତୁର ପ୍ରସାରକୁ ରୋକିବା ଲାଗି ଫିଲ୍ମ ପ୍ରମାଣପତ୍ର ନିୟମରେ ସଂଶୋଧନ ପାଇଁ ମଧ୍ୟ ବିଚାର କରାଯାଇପାରେ ବୋଲି କହିଛି ।
ଗୀତରେ ସଞ୍ଜୟ ଦତ୍ତଙ୍କ ଭଳି ଲୋକପ୍ରିୟ କଳାକାର ଥିବାରୁ ବ୍ୟାପକ ସମାଲୋଚନା କରାଯାଉଛି । ଆଲୋଚକଙ୍କ ଦାବି, ଗୀତର ବୋଲୀ, ଦୃଶ୍ୟ ଓ ନୃତ୍ୟ ଅଶ୍ଳୀଳତା ଓ ମହିଳାଙ୍କୁ ବସ୍ତୁ ଭାବେ ପ୍ରୋତ୍ସାହିତ କରୁଛି । ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ନୋରାଙ୍କ ଏଭଳି ଅଶ୍ଳୀଳ ଗୀତ ଯୁବପିଢିଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ । ଗୀତିକାର ରାକିବ ଆଲମ, ନିର୍ଦ୍ଦେଶକ ପ୍ରେମ, ସଂଗୀତକାର ଅର୍ଜୁନ ଜାନ୍ୟା ଏବଂ ଗାୟକ ମଙ୍ଗଳୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ଏଥିସହ ଜିନ୍ଦଲ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡରେ ମଧ୍ୟ ଅଭିଯୋଗ ଦାଖଲ କରିଥିଲେ ।
