ନୟାଗଡ ନୂଆଗାଁ ଥାନା ଆଡିପଡାରେ ରାମ ନାଟକକୁ ନେଇ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ ଓ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗାଁରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି । ମୃତକ ହେଉଛନ୍ତି ମନୁ ବାରିକ । ନୂଆଗାଁ ଥାନା ଅନ୍ତର୍ଗତ ଗାତେରି ପଞ୍ଚାୟତର ଆଡ଼ିପଡ଼ା ଗାଁରେ ଗତକାଲି ରାତିରେ ଘଟିଛି ଏହି ହିଂସାକାଣ୍ଡ । ଗାଁରେ ଦୀର୍ଘଦିନ ଧରି ରହିଥିବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତମାନେ ମହୀପୁର ଓ ନୟାଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି କିଛି ଆହତ ଚିକିତ୍ସା ପରେ ନିଜ ଗାଁକୁ ଫେରିଛନ୍ତି । ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଏବେ ବି ଜାରି ରହିଛି ।ସଂଘର୍ଷରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଗୋଟିଏ ଗୋଷ୍ଠୀର ପାଞ୍ଚଜଣଙ୍କୁ ଥାନାକୁ ନେଇଥିବା ସୂଚନା ମିଳିଛି । ଘଟଣାର ପ୍ରକୃତ କାରଣ ଓ ସଂଘର୍ଷରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।
