
ନୟାଗଡ଼,(ଓଡ଼ିଶା ଦର୍ପଣ):ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ (NCSTC) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ତଥା ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ–୨୦୨୬ ଗତକାଲି ସ୍ଥାନୀୟ ପି.ଏମ୍. ଶ୍ରୀ ସୋଲପଟା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ‘ସ୍ଥାୟୀ ବିକାଶ ପାଇଁ ବିଜ୍ଞାନ ଏବଂ ନବସୃଜନ’ (Science and Innovation for Sustainability) ରହିଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଜିଲ୍ଲା ଶିଶୁ ବିଜ୍ଞାନ କଂଗ୍ରେସ ସଂଯୋଜକ ଶରତ କୁମାର ସାହୁ ଏବଂ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଏକାଡେମିକ କୋଅର୍ଡିନେଟର ଡ. ଗିରିଜା ଶଙ୍କର ମହାପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଏହି ଅବସରରେ ଜୁରି ମେମ୍ବର ଭାବେ ଗୋକୁଳ କୃଷ୍ଣ ପଣ୍ଡା, ଡ. ଶଙ୍କର ନାରାୟଣ ବେଜ ଏବଂ ରବିନାଥ ଘଡ଼େଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ସେମାନେ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ସହ ନବସୃଜନ ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
ପି.ଏମ୍. ଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନା ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ସମଗ୍ର ଆୟୋଜନ ଓ ପରିଚାଳନାରେ ଶିକ୍ଷକ ପ୍ରତାପ କୁମାର ପରିଡ଼ା, ଜୁନିଅର ଆସିଷ୍ଟାଣ୍ଟ ଅରବିନ୍ଦ ନାୟକ ଏବଂ ସଞ୍ଜିବି ମଲ୍ଲିକ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ୪୦ ଜଣ ଶିଶୁ ବୈଜ୍ଞାନିକ ନିଜ ନିଜର ଗବେଷଣାତ୍ମକ ପ୍ରକଳ୍ପ ଓ ବୈଜ୍ଞାନିକ ମଡେଲ ପ୍ରଦର୍ଶନ କରିଥିଲେ। ବିଚାରକ ମଣ୍ଡଳୀ ଦ୍ୱାରା ଚୟନ ହୋଇଥିବା ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକ ଆଗାମୀ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ନୟାଗଡ଼ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ।
