ନୟାଗଡ଼,(ଓଡିଶା ଦର୍ପଣ): ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାଟି ସକାଳ ୭ ଘଟିକା ସମୟରେ ପିଟିଏସ୍ ପଡ଼ିଆଠାରୁ ଆରମ୍ଭ ହୋଇ ନୟାଗଡ଼ ରିଜର୍ଭ ପୋଲିସ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା ।
ଏହି ପଦଯାତ୍ରାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ପିଟିଏସ ଅଧ୍ୟକ୍ଷ ଶ୍ରୀ ଭବେଶ କୁମାର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତିଙ୍କ ସମେତ ପୋଲିସ ବିଭାଗର ସମସ୍ତ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, କ୍ରୀଡ଼ାବିତମାନେ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ସାମିଲ ହୋଇଥିଲେ। ପଦଯାତ୍ରାର ସମାପନ ପରେ ରିଜର୍ଭ ପୋଲିସ ପଡିଆ ଠାରେ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ମାନନୀୟା ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ କ୍ରୀଡ଼ାବିତ୍ ମାନଙ୍କୁ ଏକତାର ଶପଥ ପାଠ କରାଇଥିଲେ ।
ଉପସ୍ଥିତ ସମସ୍ତ ଅତିଥି ମାନେ ସ୍ୱାଧୀନତା ସମୟରେ ଖଣ୍ଡବିଖଣ୍ଡିତ ରାଜ ରାଜୁଡ଼ା ଶାସନକୁ ଭାରତ ସହ ମିଶ୍ରଣ କରି ଏକ ବିଶାଳ ଭାରତ ଗଠନ କରିବାରେ ଏବଂ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ଦିଗରେ ସର୍ଦ୍ଦାର ପଟେଲଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା କୁମାରୀ ସାହୁ ପରିଚାଳନା କରିଥିଲେ।
