ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦେଶକ ସାଧୁ ମେହେରଙ୍କର ପରଲୋକ ଘଟିଛି। ଶୁକ୍ରବାର ମୁମ୍ବଇସ୍ଥିତ ତାଙ୍କ ବାସଭବନରେ ୮୪ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସାଧୁ ମେହେର ଓଡ଼ିଆ, ସମ୍ବଲପୁରୀ ଓ ହିନ୍ଦୀ ଓ ବଙ୍ଗଳା ଆଦି ୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୪୦-୪୫ ହିନ୍ଦୀ ସିନେମା, ୩-୪ ବଙ୍ଗଳା ଓ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି।ମେହେରଙ୍କ ବିୟୋଗର ଉଭୟ ହିନ୍ଦୀ ଓ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଦୁଃଖ ପ୍ରକାଶ କରିଛନ୍ତି।ବୌଦ୍ଧ ଜିଲା ଗୁଡ଼ଭେଲିପଦର ଗାଁରେ ଜନ୍ମିତ ସାଧୁ ମେହେର ଉଭୟ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ହିନ୍ଦୀ ସିନେମାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସାଧୁ ମେହେର ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ପ୍ରଥମ ଓଡ଼ିଆ ଅଭିନେତା ଭାବେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୩୮ଟି ଓଡ଼ିଆ ଫିଲ୍ମରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି । ସେହିପରି ୫ଟି ଫିଲ୍ମରେ ଦେଇଛନ୍ତି ନିର୍ଦ୍ଦେଶନା । ସିନେମା ଜଗତକୁ ତାଙ୍କର ଅବଦାନ ପାଇଁ ୨୦୧୭ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମଶ୍ରୀ ସମ୍ମାନ ।ସାଧୁ ମେହେରଙ୍କ ଅଭିନିତ ହିନ୍ଦୀ ଫିଲ୍ମ- ଭୂବନ ସୋମ, ହାମ୍ ଆପ୍କେ ଦିଲ୍ ମେ ରେହେତେ ହେଁ, ଅଙ୍କୁର, ୨୭ ଡାଉନ୍, ନିଶାନ୍ତ,ମନ୍ଥନ, ଇନ୍କାର, ଘରୋନ୍ଦା, ସଫେଦ ହାତୀ, କସ୍ତୁରୀ, ଦେବଶିଶୁ, ଜୟ ଜଗନ୍ନାଥ, ଭାଗ୍ୟ ନା ଜାନେ କୋଇ ଆଦି ସିନେମାରେ ଅଭିନୟ କରିଥିଲେ।