ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ନିର୍ଧୂମ ବର୍ଷିବ । ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ତେବେ ଅଧିକାଂଶ ନଦୀର ଜଳସ୍ତର କମୁଥିବାରୁ ବନ୍ୟା ଆଶଙ୍କା ନାହିଁ | ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରକୋପ । ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ବରଗଡ଼ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ ଦୁଇଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଏହି ରେଡ୍ ୱାର୍ଣ୍ଣିଂ ସୋମବାର ଅଗଷ୍ଟ ୩୧ ସକାଳ ସାଢ଼େ ୮ଟାରୁ ମଙ୍ଗଳବାର ସେପ୍ଟେମ୍ବର ୧ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର ଏବଂ ରାୟଗଡ଼ାରେ ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା କିମ୍ବା ଘଡ଼ଘଡ଼ିର ସମ୍ଭାବନାକୁ ନେଇ ନଜର ରଖାଯାଇଛି । କେବଳ ବର୍ଷା ନୁହେଁ, ରାଜ୍ୟର ବଡ଼ ଅଂଶରେ ବଜ୍ରପାତ ସହ ଘଡ଼ଘଡ଼ି ହୋଇପାରେ । ରେଡ୍ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଥିବା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିପାରେ ।
