Oplus_131072

ପିଏମଶ୍ରୀ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ଛାତ୍ରବିଧାନ ସଭା’ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ପିଏମ ଶ୍ରୀ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ବନ୍ଧରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ଅଭିନବ ଶିକ୍ଷଣମୂଳକ କାର୍ଯ୍ୟକ୍ରମ—’ଛାତ୍ରବିଧାନ ସଭା’ର ଏକ ସଫଳ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।
ଏହି ଅଧିବେଶନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରକୃତ ବିଧାନସଭାର କାର୍ଯ୍ୟଶୈଳୀକୁ ଅନୁସରଣ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ବିଭିନ୍ନ ବିଭାଗର ମନ୍ତ୍ରୀ (ଯଥା—କୃଷି, ଶିକ୍ଷା, ଖାଦ୍ୟ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ) ଏବଂ ସାଧାରଣ ବିଧାୟକ,ବିଧାୟିକା ଭୂମିକା ସଫଳତାର ସହ ନିର୍ବାହ କରିଥିଲେ। ଭୂମିକା ଗ୍ରହଣ କରିବା ସହିତ ପିଲାମାନେ ସାମ୍ପ୍ରତିକ ପରିସ୍ଥିତି, ସାମାଜିକ ସମସ୍ୟା ଏବଂ ବିଭିନ୍ନ ଜନସ୍ୱାର୍ଥ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଯୁକ୍ତିଯୁକ୍ତ ଓ ଅର୍ଥପୂର୍ଣ୍ଣ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ବ୍ୟବସ୍ଥା, ସଂସଦୀୟ ପରମ୍ପରା, ନେତୃତ୍ୱ ନେବାର କଳା, ଯୁକ୍ତି ଉପସ୍ଥାପନ ଏବଂ ନିଜ ମତାମତକୁ ନିର୍ଭୟରେ ପ୍ରକାଶ କରିବାର ବହୁମୂଲ୍ୟ ଶିକ୍ଷା ଲାଭ କରିଥିଲେ।
ଉତ୍ସାହଜନକ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ  ଉମାକାନ୍ତ ସେଠୀ, ମାର୍ଗଦର୍ଶକ ଶିକ୍ଷକ ମାନସ ରଞ୍ଜନ ଷଡ଼ଙ୍ଗୀ,  ସୁଜାତା ସାହୁ, ଶେଖ୍ ଅଜିଜୁର ରହମାନଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ କରିଥିଲେ।

ଅଧିକ ପଢନ୍ତୁ