ପୂର୍ବତନ ଏମ୍‌ପି ଜୟପ୍ରଦାଙ୍କୁ ସ୍ବତନ୍ତ୍ର ଅଦାଲତ ଫେରାର ଘୋଷଣା କରିଛି

ଅଭିନେତ୍ରୀ ତଥା ପୂର୍ବତନ ଏମ୍‌ପି ଜୟପ୍ରଦା ଦୁଇଟି ମାମଲାରେ ଶୁଣାଣି ପାଇଁ ହାଜର ନ ହେବାରୁ ଏକ ସ୍ବତନ୍ତ୍ର ଅଦାଲତ ତାଙ୍କୁ ଫେରାର ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଆଚରଣ ବିଧିର ଉଲ୍ଲଂଘନ କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେତେବେଳେ ସେ ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ଏହି ମାମଲାରେ ଜୟ ପ୍ରଦାଙ୍କ ବିରୋଧରେ ୭ ଥର ଜାମିନି ବିହୀନ ପରୱାନା ଜାରି ହୋଇଥିବା ବେଳେ ସେ କୋର୍ଟରେ ହାଜର ହେଲେ ନାହିଁ। ତେଣୁ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ତାଙ୍କ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଶୋଭିତ ବନଶଲଙ୍କ ଅଧ୍ୟକ୍ଷତାରେ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ଡେପୁଟି ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ମାର୍ଚ୍ଚ ୬ ତାରିଖ ସୁଦ୍ଧା ଜୟ ପ୍ରଦାଙ୍କୁ କୋର୍ଟରେ ହାଜର କରାଇବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ତେବେ ଅଭିଯୁକ୍ତଙ୍କୁ କୋର୍ଟ ସେତେବେଳେ ଫେରାର୍ ଘୋଷଣା କରନ୍ତି ଯେତେବେଳେ ଅଭିଯୁକ୍ତ ବାରମ୍ବାର ସମନ ପରେ ଶୁଣାଣି ପାଇଁ କୋର୍ଟରେ ହାଜର ହୁଅନ୍ତି ନାହିଁ। ତାଙ୍କୁ ହାଜର କରାଇବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ।

ଅଧିକ ପଢନ୍ତୁ

Odisha Darpan Digital