ପୌରସଂସ୍ଥା ଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି କଲେ ରାଜ୍ୟ ସରକାର

ସହରାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଏବଂ ପୌରାଞ୍ଚଳ ଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସଂସ୍କାର ସ୍ୱରୂପ ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି । ନଗର ଉନ୍ନୟନ ବିଭାଗ ଦ୍ୱାରା ବିଜ୍ଞାପିତ ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ ଲାଗୁ ହେବ ।ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ । ନୂଆ ନିୟମ ଅନୁଯାୟୀ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମ କମିଶନରଙ୍କ ସମକକ୍ଷ କରାଯାଇଛି । ଫଳରେ ସହରାଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ନିଷ୍ପତ୍ତି ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଆହୁରି ଦ୍ରୁତ ହେବ । ମହାନଗର ନିଗମଗୁଡ଼ିକରେ କାର୍ଯ୍ୟ ବିଲ୍, କ୍ରୟ ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ମଞ୍ଜୁରୀ ପାଇଁ କମିଶନରଙ୍କ ଆର୍ଥିକ ସୀମାକୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ଭୁବନେଶ୍ୱରରେ ୫୦ ଲକ୍ଷ ଓ ଅନ୍ୟ ମହାନଗର ନିଗମରେ ମାତ୍ର ୧୫ ଲକ୍ଷ ଟଙ୍କା ଥିଲା । ସେହିପରି ଦରମା ଓ ପେନ୍‌ସନ୍ ବିଲ୍ ପ୍ରଦାନ ପାଇଁ କମିଶନରମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି ।

କେବଳ ସେତିକି ନୁହେଁ, ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମାକୁ ୨ କୋଟିରୁ ବଢ଼ାଇ ୩ କୋଟି ଟଙ୍କା କରାଯାଇଛି । ଏହାଦ୍ୱାରା ବିକାଶମୂଳକ କାର୍ଯ୍ୟରେ ଅନାବଶ୍ୟକ ବିଳମ୍ବ ହ୍ରାସ ପାଇବ ଏବଂ ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ।

ଅଧିକ ପଢନ୍ତୁ