ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତରେ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଓଡ଼ିଆ ସଙ୍ଗୀତ ଜଗତର ଅଭୁଲା ସ୍ୱର, ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ସୁମଧୁର ଗାୟନ ଶୈଳୀ ଅନେକ ଓଡ଼ିଆ ସଙ୍ଗୀତକୁ ଲୋକଙ୍କ ହୃଦୟରେ କାଳଜୟୀ କରିଛି। ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଦିବଂଗତ ଅମର ଆତ୍ମାର ସଦଗତି କାମନା କରୁଛି। ଅନ୍ୟପଟେ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରି ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ନିଜର କାଳଜୟୀ କଣ୍ଠସ୍ୱରରେ ସମଗ୍ର ଓଡ଼ିଶାକୁ ବିମୋହିତ କରିଥିବା ମହାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ଜୟଦେବ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭଳି ଅନେକ ସମ୍ମାନରେ ଭୂଷିତ ଏହି ଅତୁଳନୀୟ ସଙ୍ଗୀତ ସାଧକଙ୍କ ଦେହାନ୍ତ ଓଡ଼ିଆ କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି।ତାଙ୍କର ସୁମଧୁର ସ୍ୱରର ମୂର୍ଚ୍ଛନା ଓ କାଳଜୟୀ ସଙ୍ଗୀତ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଚିରକାଳ ଅମର ହୋଇ ରହିବ।
