
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମ୍ରେଡ୍ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ଫଗୁରେ ଫଗୁରେ ଫାଲଗୁନି ‘ ର ପାଠକୀୟ ଚର୍ଚ୍ଚା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀଙ୍କ ଗହଣରେ ଉତ୍ସାହ ଉଦ୍ଦୀପନା ସହିତ ସମାହିତ ହୋଇଯାଇଛି। ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ପୁସ୍ତକର ସମୀକ୍ଷା କରି ପାଠକୀୟ ଉତ୍କଣ୍ଠା ଉଜ୍ଜୀବିତ କରୁଥିବା ଏହି ସଫଳ ଉପନ୍ୟାସର ବଳିଷ୍ଠ କାହାଣୀ, ଲୋକକଥିତ ଭାଷା ଚାତୁରୀ, ଶ୍ରେଣୀ ସଂଘର୍ଷର ଅନ୍ତର୍ନିହିତ ବାର୍ତ୍ତା ଉପରେ ଆଲୋକପାତ କରି ଶ୍ରୋତାଙ୍କୁ ଉପନ୍ୟାସର ମର୍ମ ଭିତରେ ନିମଜ୍ଜିତ କରାଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ଼ର ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ ଔପନ୍ୟାସିକ କମ୍ରେଡ୍ ମହାପାତ୍ରଙ୍କ ଲଗାତାର ପ୍ରଗତିଶୀଳ ସାହିତ୍ୟ ସୃଷ୍ଟିର ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶାର ସାରସ୍ବତ ପରିମଣ୍ଡଳରେ ନିର୍ଭୀକ ସଂସ୍କାରମୂଳକ ପ୍ରଗତିଶୀଳ ସାହିତ୍ୟର ଏହା ମାଇଲଖୁଣ୍ଟ ହେବ ବୋଲି ଡ. ସାହୁ ଦୃଢୋକ୍ତି କରିଥିଲେ। ଏହି ଉପନ୍ୟାସ ଉପରେ ପାଠକୀୟ ମନ୍ତବ୍ୟ ରଖି ଏହା ସାମ୍ପ୍ରତିକ ସମୟର ଏକ କାଳଜୟୀ ସାରସ୍ବତ ସୃଷ୍ଟି ଓ ଏହା ନୂତନ ପିଢି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଅଧ୍ୟାପକ ଡ. ଦୀପକ ରଂଜନ ସାହୁ, କବୟିତ୍ରୀ ବସିରନ୍ ବିବି, ଶିକ୍ଷକ ଗିରୀଶ ଚନ୍ଦ୍ର ମିଶ୍ର, ଅଧ୍ୟାପିକା ଡ. ବିନ୍ଦୁଲତା ଷଣ୍ଢ, ଡ. ପ୍ରିୟମ୍ବଦା ଦାଶ, ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ଵାଳ, ସୁଶ୍ରୀ ପାୟଲ ପ୍ରଧାନ, ଶିକ୍ଷାବିତ୍ ସରୋଜ କୁମାର ପଣ୍ଡା, ସମ୍ବାଦ ସାହିତ୍ୟ ଘର, ଦଶପଲ୍ଲାର ସଭାପତି ସନ୍ତୋଷ କୁମାର ସାହୁ ପ୍ରମୁଖ ପୁସ୍ତକର ବିଭିନ୍ନ ରଚନାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ। ରଞ୍ଜୁବାଳା ପ୍ରକାଶନୀର ମୁଖ୍ୟ ଆଡଭୋକେଟ ଶରତଚନ୍ଦ୍ର ବେହେରା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲାବେଳେ ଲେଖକ ବିଶ୍ଵନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ସଭାକୁ ଗୋପୀନାଥ ସେଠୀ ସଂଯୋଜନା କରିଥିଲେ।କୁନୀପାଠିକା ଜାନକୀ ମହାକୁଡ଼ର ଆଲୋଚନା ଉତ୍ସାହଜନକ ଥିଲା।
