ଫାଷ୍ଟଫୁଡ୍ ନେଲା ଜୀବନ। ଉତ୍ତରପ୍ରଦେଶର ଅମରୋହରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀ ଅହାନା (୧୬ ବର୍ଷ) ଫାଷ୍ଟଫୁଡ୍ ଖାଇ ପ୍ରାଣ ହରାଇଛନ୍ତି ।ଚାଉମିନ୍, ମ୍ୟାଗି, ପିଜା ଏବଂ ବର୍ଗର ଭଳି ଖାଦ୍ୟର ଅତ୍ୟଧିକ ସେବନ ଯୋଗୁଁ ଏକାଦଶ ଶ୍ରେଣୀର ଛାତ୍ରୀ ଅହାନାଙ୍କର ଅନ୍ତନଳୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ଦୀର୍ଘ ଦିନର ଚିକିତ୍ସା ପରେ ରବିବାର ରାତିରେ ଦିଲ୍ଲୀ ଏମ୍ସରେ ହାର୍ଟ ଫେଲ୍ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନାମୁତାବକ ଅମରୋହା ନଗରର ମୋହଲ୍ଲା ଅଫଗାନାନରେ ରହୁଥିବା ମନ୍ସୁର ଖାନ୍ ଙ୍କ ସବୁଠୁ ସାନ ଝିଅ ହେଉଛନ୍ତି ଅହାନା । ଅହାନଙ୍କ ଜଣେ ଭାଇ ଏବଂ ଜଣେ ଭଉଣୀ ଅଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ, ଅହାନା ଫାଷ୍ଟଫୁଡ୍ ଖାଇବାକୁ ଭଲ ପାଉଥିଲେ । ଯେତେ ଆକଟ କଲେ ବି ସେ ମାନୁ ନ ଥିଲେ । ଅଧିକାଂଶ ସମୟରେ ସେ ମ୍ୟାଗି, ଚାଉମିନ୍, ପିଜ୍ଜା-ବର୍ଗର ଭଳି ଫାଷ୍ଟଫୁଡ୍ ଖାଉଥିଲେ । ଗତ ନଭେମ୍ବର ୨୮ରେ ଅହାନାଙ୍କ ଦେହ ଖରାପ ହୋଇଥିଲା । ପେଟରେ ଜୋରରେ ଯନ୍ତ୍ରଣା ହେବାରୁ ତାଙ୍କୁ ନଭେମ୍ବର ୩୦ରେ ମୁରାଦାବାଦରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କ ଅନ୍ତଃନଳୀରେ କଣା ହୋଇଥିବା ଏବଂ ପେଟରେ ପାଣି ଜମା ହୋଇଥିବା କଥା କହିଥିଲେ ।
ଫାଷ୍ଟଫୁଡ୍ ଯୋଗୁ ଏପରି ହୋଇଥିବା ଡାକ୍ତର ଜଣାଇଥିଲେ । ଏଥିପାଇଁ ଅପରେସନର ଆବଶ୍ୟକତା ଥିଲା । ଅପରେସନରେ ତାଙ୍କ ପେଟରୁ ପ୍ରାୟ ୭ ଲିଟର ପାଣି ବାହାରିଥିଲା । ସ୍ୱାସ୍ଥ୍ୟ ସାମାନ୍ୟ ସୁଧୁରିବା ପରେ ପରିବାର ଲୋକେ ତାଙ୍କୁ ଦିଲ୍ଲୀ ନେଇ ଯାଇଥିଲେ । ଅପରେସନର କିଛି ଦିନ ପରେ ତାଙ୍କ ପେଟରେ ପୁଣି ଯନ୍ତ୍ରଣା ହୋଇଥିଲା । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା । ପରୀକ୍ଷା କରିବା ପରେ ତାଙ୍କ ଅନ୍ତଃନଳୀ ପରସ୍ପର ସହ ଯୋଡ଼ି ହୋଇଯାଇଥିବା ଡାକ୍ତର କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ବି ଲଗାତର ଅହାନାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା ।ଅବସ୍ଥା ଅଧିକ ବିଗିଡିବାରୁ ଚାରି ଦିନ ତଳେ ପରିବାର ଲୋକେ ତାଙ୍କୁ ଦିଲ୍ଲୀ ଏମ୍ସ (AIIMS) କୁ ନେଇଥିଲେ। ସେଠାରେ କିଛି ଦିନ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ରବିବାର ରାତିରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା।
