ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍‌ଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ ଏନ୍‌ଆଇଏ

ଦୁବାଇରୁ ଇସ୍ରାଏଲର ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ୍‌ ସ୍ମିତ ମାଚ୍ଛରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ସରକାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦେଇଛନ୍ତି। । ଏନଆଇଏ , ଏଫଆଇଆରରେ ଉଡ଼ାଣ ବେଳେ କକପିଟରେ ଓମାନର ସହ-ପାଇଲଟ ଦ୍ୱାରା ଭାରତୀୟ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ଛୁରୀରେ ଆକ୍ରମଣ ଘଟଣାର ଉଲ୍ଲେଖ କରିଛି । ଉକ୍ତ ମାମଲା ଆଣ୍ଟି ହାଇଜ୍ୟାକିଂ ଆକ୍ଟ ୨୦୧୬ର ଧାରା ୩ ଓ କଠୋର ବେଆଇନ କାର୍ଯ୍ୟକଳାପ ( ନିବାରଣ ) ଆଇନ, ୧୯୬୭ (ୟୁଏପିଏ) ମୁତାବିକ ରୁଜୁ କରାଯାଇଛି ।ସୂଚନା ଯେ, ଫ୍ଲାଇଦୁବାଇର ବିମାନ FZ1073 ଗତ ସେପ୍ଟେମ୍ବର ୩୦ ତାରିଖରେ ୧୭୪ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଦୁବାଇରୁ ଉଡ଼ାଣ ଭରି ଥିଲା । ଏହି ଆକ୍ରମଣ ସମୟରେ ଭାରତୀୟ ନାଗରିକ କ୍ୟାପଟେନ୍ ମଚ୍ଛାର ଏବଂ ଓମାନର ଫାର୍ଷ୍ଟ ଅଫିସର (ସହ-ପାଇଲଟ) ବିମାନ ଚଲାଉ ଥିଲେ । FIR ଅନୁଯାୟୀ, ଫାର୍ଷ୍ଟ ଅଫିସର ଜଣକ କ୍ୟାପଟେନଙ୍କୁ ଛୁରୀରେ ଆକ୍ରମଣ କରି ଥିଲେ । ଯାତ୍ରୀମାନଙ୍କ କହିବା ଅନୁସାରେ, ଏହା ବିମାନକୁ ହାଇଜାକ୍ କରିବା କିମ୍ବା କ୍ରାସ୍ କରାଇବାର ଏକ ପ୍ରୟାସ ଥିଲା । ଏହି ଆକ୍ରମଣ ଯୋଗୁଁ କ୍ୟାପଟେନ୍ ମଚ୍ଛାରଙ୍କ ମୁଣ୍ଡ ଏବଂ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ ଉପସ୍ଥିତ ବୁଦ୍ଧି ଖଟାଇ କକ୍‌ପିଟ୍‌ର ଦ୍ୱାର ଖୋଲିଥିଲେ। ଏହାପରେ ଅନ୍ୟମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ବିମାନଟିକୁ ସାଉଦି ଆରବର ତାବୁକ୍‌ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ପରେ ସ୍ମିତଙ୍କୁ ଅଧିକ ଚିକିତ୍ସା ପାଇଁ ଆବୁଧାବି ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଥିବା ଜଣାପଡ଼ିଛି। ଏହି ଘଟଣା ପଛରେ କୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ର ରହିଛି କି ନାହିଁ, ତାହା ଏନ୍‌ଆଇଏ ତଦନ୍ତରୁ ସ୍ପଷ୍ଟ ହେବ।

ଅଧିକ ପଢନ୍ତୁ