
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସହରର ନୂଆ ରାଜବାଟୀ ରୋଡ୍ ନିବାସୀ, ପ୍ରାକ୍ତନ ସୁନାମଧନ୍ୟ ହେଲଥ୍ ଇନ୍ସପେକ୍ଟର ତଥା ଧର୍ମପରାୟଣ ବ୍ୟକ୍ତିତ୍ୱ ଶେଖର ରଥଙ୍କର ଗତ ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତା ଅଟନ୍ତି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୬ ପୁଅ, ବୋହୂ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ। ପରେ ତାଙ୍କର ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି। ସ୍ୱର୍ଗତ ରଥଙ୍କ ଜ୍ୟେଷ୍ଠ ପୁତ୍ର ତଥା ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗର ଅବସରପ୍ରାପ୍ତ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ରଥ ମୁଖାଗ୍ନି ଦେଇଥିଲେ।
ଜଣେ କର୍ତ୍ତବ୍ୟନିଷ୍ଠ ସରକାରୀ ଅଧିକାରୀ ଏବଂ ପରୋପକାରୀ ମଣିଷ ଭାବେ ନୟାଗଡ଼ ଅଞ୍ଚଳରେ ସେ ସୁପରିଚିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଯାଇଛି।
