ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ୩୭ ବର୍ଷର ବୈବାହିକ ଜୀବନ ପରେ ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କୁ ଗୋବିନ୍ଦା ଡେଟ୍ କରୁଥିବା ଆଲୋଚନା ହେଉଛି। ଯଦିଓ ଦମ୍ପତି ଏହି ଖବରକୁ ନିଶ୍ଚିତ କରିନାହାଁନ୍ତି, ତଥାପି କଳ୍ପନାଜଳ୍ପନା ଚାଲିଛି। ମିଳିଥିବା ଖବର ଅନୁଯାୟୀ, ଦୀର୍ଘ ଦିନରୁ ଗୋବିନ୍ଦା ଓ ସୁନୀତାଙ୍କ ବୈବାହିକ ଜୀବନ ସ୍ୱଭାବିକ ନାହିଁ । ଏହି ଦମ୍ପତି ୧୧ ମାର୍ଚ୍ଚ ୧୯୮୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଉଭୟଙ୍କ ଜୀବନରେ ଅନେକ ଉତ୍ଥାନ-ପତ୍ତନ ଦେଖାଯାଇଥିଲା ।
ମାତ୍ର ବର୍ତ୍ତମାନ ଅଲଗା ହେବା ନେଇ ଖବର ଜୋର ଧରିଛି । ଛାଡପତ୍ର ଓ ଏହାର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ଉଭୟଙ୍କ ନିକଟରୁ ମିଳିନାହିଁ ।ଗୋବିନ୍ଦାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୮ ନିୟୁତ ଡଲାର ଅର୍ଥାତ୍ ୧୫୦ କୋଟି ଟଙ୍କା। ଗୋବିନ୍ଦାଙ୍କ ଆୟ ସଫଳ ଚଳଚ୍ଚିତ୍ର କ୍ୟାରିଅର, ବ୍ରାଣ୍ଡ ଏବଂ ରିଅଲ ଇଷ୍ଟେଟ ନିବେଶରୁ ହୋଇଥାଏ। ବଲିଉଡ ଷ୍ଟାର ଭାବରେ ତାଙ୍କର ଲୋକପ୍ରିୟତା ଏବେ ବି ଅକ୍ଷୁର୍ଣ୍ଣ ରହିଛି କାରଣ ସେ ବିଭିନ୍ନ ଶୋ’ରେ ନଜର ଆସନ୍ତି।‘ହିରୋ ନମ୍ବର ୧’ ଭାବରେ ପ୍ରସିଦ୍ଧ ଗୋବିନ୍ଦାଙ୍କ ବାର୍ଷିକ ଆୟ ପ୍ରାୟ ୧୨ କୋଟି ଟଙ୍କା ବୋଲି କୁହାଯାଏ। ତାଙ୍କର ରୋଜଗାରର ଏକ ପ୍ରମୁଖ ଅଂଶ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଆସିଥାଏ, ଯେଉଁଠାରେ ସେ ପ୍ରତି ଡିଲ ପାଇଁ ପ୍ରାୟ ୨ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି। ଗୋବିନ୍ଦା ପ୍ରତି ଫିଲ୍ମ ପ୍ରୋଜେକ୍ଟ ପାଇଁ ୫-୬ କୋଟି ଟଙ୍କା ନିଅନ୍ତି।